ଖାଦ୍ୟ ପାଇଁ ଆଫଗାନିସ୍ତାନୀମାନେ ଶସ୍ତାରେ ବିକୁଛନ୍ତି ଦାମୀ ଆସବାବପତ୍ର

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାକାର ପରିସ୍ଥିତି ବଦଳି ଯାଇଛି। ପୂର୍ବରୁ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ଚାକିରି କରୁଥିବା ଆଫଗାନୀମାନେ ହଠାତ୍ କର୍ମସଂସ୍ଥାନ ହରାଇଛନ୍ତି। ନିଜର ପରିବାର ଚଳାଇବା ପାଇଁ ଘରର ଜିନିଷପତ୍ରକୁ ସ୍ଵଳ୍ପ ମୂଲ୍ୟରେ ବିକ୍ରିୟ କରୁଛନ୍ତି। ସେଥିପାଇଁ କାବୁଲ୍ ସହରର ରାସ୍ତାଘାଟ ହୋଇଛି ପୁରୁଣା ସାମଗ୍ରୀ ବିକ୍ରୟ ବଜାର ବୋଲି ଟୋଲୋ ନିଉଜ୍ ରିପୋର୍ଟ ପ୍ରକାଶ କରିଛି।
ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ଲୋକମାନେ କାମଧନ୍ଦା ହରାଇବା ଯୋଗୁ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଉତ୍କଟ ଦାରିଦ୍ର୍ୟ ତାଡ଼ନା ସହ୍ୟ କରିନପାରି ଘରେ ଥିବା ମୂଲ୍ୟବାନ୍ ସାମଗ୍ରୀଗୁଡ଼ିକୁ ଆଣି କାବୁଲ୍ ସହରର ରାସ୍ତାଘାଟରେ ଶାଗମାଛ ଦରରେ ବିକ୍ରୟ କରୁଛନ୍ତି। କାବୁଲ୍ର ଲାଲ୍ ଗୁଲ୍ ନାମକ ଜଣେ ଦୋକାନୀ ଟୋଲୋ ନିଉଜ୍କୁ କହିଛନ୍ତି ଅଧାରୁ କମ୍ ଦରରେ ମୁଁ ମୋର ଜିନିଷପତ୍ର ସବୁ ବିକୁଛି। ୨୫,୦୦୦ ଆଫଗାନୀ ମୁଦ୍ରାରେ ଖରିଦ କରିଥିବା ଗୋଟାଏ ରେଫ୍ରିଜେରେଟର୍କୁ ୫୦୦୦ରେ ବିକ୍ରୟ କରିଛି। କାରଣ ମୋ ପିଲାଛୁଆଙ୍କ ପାଇଁ ରାତ୍ର ଭୋଜନ ନିହାତି ଦରକାର।
କାବୁଲ୍ର ଚମନ୍-ଏ-ହୋଜୋରିକୁ ପଡ଼ିଥିବା ଏକ ରାସ୍ତାରେ କେତେକ ଲୋକ ୧ ଲକ୍ଷ ଆଫଗାନୀ ମୁଦ୍ରାର ସାମଗ୍ରୀକୁ ମାତ୍ର ୨୦ ହଜାରରେ ବିକ୍ରୟ କରୁଛନ୍ତି। ନଗଦ ଅର୍ଥ ପାଇଁ ସେମାନେ ରାସ୍ତାଘାଟରେ ରେଫ୍ରିଜେରେଟର୍, ଟେଲିଭିଜନ୍ ସେଟ୍, ସୋଫା, ଆଲମାରି, ଆସବାବ୍ପତ୍ର ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଧାଡ଼ି କରି ରଖିଛନ୍ତି। ମହମଦ୍ ଆଗା ନାମକ ପୂର୍ବତନ ପୋଲିସ ଅଧିକାରୀ ଗତ ୧୦ଦିନ ହେବ ରାସ୍ତାରେ ଜିନିଷପତ୍ର ବିକ୍ରିବଟା କରୁଛନ୍ତି। ଟୋଲୋ ନିଉଜ୍କୁ ସେ କହିଛନ୍ତି ସେମାନେ ଦରମା ଦେଲେ ନାହିଁ। ଏବେ ମୋର ଚାକିରି ନାହିଁ। ମୁଁ ଆଉ କ’ଣ ଥାଆନ୍ତି ?