ଲୋକସଭା ଦର୍ଶକ ଗ୍ୟାଲେରିରୁ ଡେଇଁ ଗୃହରେ ଦୌଡିଲେ ଦୁଇ ଯୁବକ

ନୂଆଦିଲ୍ଲୀ : ଲୋକସଭା ଆକ୍ରମଣକୁ ଆଜି ୨୨ ବର୍ଷ ପୂରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଶବାସୀଙ୍କୁ ଚକିତ କରିଛି। ଲୋକସଭା ଚାଲିଥିବା ସମୟରେ ଦର୍ଶକ ଗ୍ୟାଲେରିରୁ ଦୁଇଜଣ ଯୁବକ ଭିତରକୁ ଡେଇଁ ଗୃହରେ ଦୌଡ଼ାଦୌଡ଼ି କରିବାରୁ ଚାରିଆଡ଼େ ହଳଦିଆ ରଙ୍ଗର ଧୂଆଁ ବ୍ୟାପିଯାଇଥିଲା।

ଖବର ଅନୁଯାୟୀ ଦୁଇ ଯୁବକଙ୍କୁ କିଛି ସାଂସଦ କାବୁକରି ଲୋକସଭା ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରିଥିଲେ।ଦୁଇ ଯୁବକଙ୍କୁ ପାର୍ଲାମେଣ୍ଟ ଥାନାକୁ ନିଆଯାଇ ପଚରାଉଚରା କରାଯାଉଛି। ତେବେ ସେମାନେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇବାକୁ ଉଦ୍ୟମ କଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି।

ଅନ୍ୟପକ୍ଷରେ ଏହି ଘଟଣା ପରେ ସଂସଦ ସୁରକ୍ଷାରେ ବଡ଼ ତ୍ରୁଟି ଚର୍ଚ୍ଚା ହେଉଛି। ବିଜେପି ସାଂସଦ ଖରଗେ ମୁର୍ମୁ ଗଣମାଧ୍ୟମକୁ କହିଛନ୍ତି ପ୍ରଥମେ ଲୋକସଭା ଗ୍ୟାଲେରିରୁ ଜଣେ ଯୁବକ ହଲ୍ ଭିତରକୁ ଡେଇଁଥିଲେ। ଏହାପରେ ବେଞ୍ଚରୁ ବେଞ୍ଚକୁ ଡେଇଁବାକୁ ଲାଗିଲେ। ପରେ ଅନ୍ୟ ଜଣେ ଯୁବକ ଦର୍ଶକ ଗ୍ୟାଲେରିରୁ ଭିତରକୁ ପ୍ରବେଶ କରି ଚାରିଆଡ଼େ ଡେଇଁଥିଲେ। କିଛି ସମୟ ପରେ ସେମାନେଙ୍କ ଜୋତାରୁ କିଛି ହଳଦିଆ ରଙ୍ଗର ଗ୍ୟାସ୍‌ ନିର୍ଗତ କରିବାରୁ ହଲ୍‌ର ଚାରିଆଡ଼ ଧୂଆଁମୟ ହୋଇଗଲା। ଏହାଦେଖି ସାଂସଦମାନେ ଚାରିଆଡ଼େ ଦୌଡ଼ିଲେ। ଯୁବକଦ୍ୱୟ କୌଣସି ସାଂସଦଙ୍କ ଅଫିସ୍‌କୁ ଆସିଥିବା କହି ଭିଜିଟର ପାସ୍‌ରେ ଭିତରକୁ ପ୍ରବେଶ କରିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ମହୀଶୂର ସାଂସଦଙ୍କ ରେଫରେନ୍ସରେ ପାସ୍‌ ପାଇ ସେମାନେ ଦର୍ଶକ ଗ୍ୟାଲେରୀରେ ବସିଥିଲେ। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ସେମାନେ ଏଭଳି କରିଥିବା ଜଣାପଡୁଛି। ସୁରକ୍ଷାରେ ମଧ୍ୟ ଖିଲାପ ହୋଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ୨୨ ବର୍ଷ ତଳେ ସଂସଦ ଭବନ ଆକ୍ରମଣରେ ୧୪ ଜୀବନ ଯାଇଥିଲା। ଦିଲ୍ଲୀ ପୋଲିସର ୬ ଓ ସଂସଦ ଭବନର ୨ ସୁରକ୍ଷା କର୍ମୀ ସହିଦ ହୋଇଥିଲେ। ଆତଙ୍କୀ ହମଲାରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୫ ଆତଙ୍କୀ ନିହତ ହୋଇଥିଲେ। ୨୨ବର୍ଷ ପରେ ଆଜି ସଂସଦ ଭବନରେ ପୁଣି ଦୁଇ ଅଜ୍ଞାନ୍ତ ଯୁବକ ପଶିଲେ। ତେବେ କେମିତିଥିଲା ସୁରକ୍ଷା ବ୍ୟବସ୍ଥା ?

Leave a Reply

Your email address will not be published. Required fields are marked *

Back to top button