୪୩୭୩ଟି ପଞ୍ଚାୟତରେ ଖୋଲିବ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍

ଭୁବନେଶ୍ଵର : ରାଜ୍ୟର ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବ। ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏଥିପାଇଁ ୫କୋଟି ଟଙ୍କାର ବଜେଟ୍ ସହାୟତା ପ୍ରଦାନ କରାଯିବ। ଏହି ବ୍ୟାଙ୍କ ଶାଖା ଖୋଲିବାକୁ ୫ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ, ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ହେବାକୁ ଥିବା ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ପ୍ରସ୍ତାବ ସମେତ ମୋଟ ୧୯ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।

ଖବର ଅନୁଯାୟୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୯ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ। କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସେ କହିଥିଲେ ରାଜ୍ୟର ମୋଟ ୬୭୯୮ ପଞ୍ଚାୟ ମଧ୍ୟରୁ ୪୩୭୩ଟିରେ ବ୍ୟାଙ୍କିଙ୍ଗ ସୁବିଧା ନାହିଁ। ସେଠାରେ ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲାଯିବ। ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ୪୩୭୩ଟି ବ୍ୟାଙ୍କବିହୀନ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବାକୁ ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ। ଲୋକମାନଙ୍କୁ ମିଳିବ ମାଗଣାରେ ସମସ୍ତ ପ୍ରକାରର ବ୍ୟାଙ୍କିଙ୍ଗ ସେବା। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାମାନେ ଦ୍ୱାରଦେଶରେ ବ୍ୟାଙ୍କିଙ୍ଗ ସେବା ପାଇପାରିବେ। ସେମାନଙ୍କୁ ଠିକ୍ ସମୟରେ ମିଳିବ ସରକାରଙ୍କ ଡିବିଟି ଯୋଜନାର ସୁବିଧା।

ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି କ୍ୟାବିନେଟ୍ ଆଜି ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୧୯୮୩ରେ ରହିଥିବା ବ୍ୟବସ୍ଥାକୁ ସରଳୀକରଣ କରିବାକୁ ଏଥିରେ ଆବଶ୍ୟକ ସଂଶୋଧନ ଓ ନୂଆ ବ୍ୟବସ୍ଥା ଆଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏଣିକି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ୍ ସୂତ୍ରରେ ଯୋଗାଇ ଦିଆଯାଇଥିବା ସରକାରୀ ଜମିକୁ ସ୍ଥିତିବାନ ସତ୍ତ୍ୱରେ ପରିବର୍ତ୍ତନ କରିବା ତଥା ସେମାନଙ୍କୁ ସିଧାସଳଖ ସ୍ଥିତିବାନ ସ୍ୱତ୍ତ୍ୱରେ ସରକାରୀ ଜମି ଯୋଗାଇ ଦେବାକୁ ଏହି ରୁଲସରେ ନୂଆ ବ୍ୟବସ୍ଥା ଆଣିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିସହ ଖାସମହାଲ, ନଜୁଲ, ଗ୍ରାମକଣ୍ଠ, ପରମବୋକ ଓ ଆବାଦୀ ଶ୍ରେଣୀର ଜମିକୁ ଆଇନସମ୍ମତ ଭାବେ ଦଖଲରେ ରଖିଥିବା ବ୍ୟକ୍ତିବିଶେଷଙ୍କ ନାଁରେ ଚିରସ୍ଥାୟୀ ବନ୍ଦୋବସ୍ତ କରିବା ପାଇଁ ଏହି ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୨୦୨୩ ସରକାରୀ ଗେଜେଟରେ ପ୍ରକାଶିତ ହେବାପରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ଏହାଛଡା ଓଡ଼ିଶା ସରକାରୀ ବେସରକାରୀ ସହଭାଗିତା ନୀତି (ପିପିପି) -୨୦୨୩କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହି ନୂଆ ନୀତିରେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଳିଅରାନ୍ସ ପ୍ରାଧିକରଣ ଅନୁମୋଦନର ବ୍ୟବସ୍ଥା ହେବ। ୧୦ରୁ ୫୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ କ୍ଷମତାପ୍ରାପ୍ତ କମିଟି ଦ୍ୱାରା ଅନୁମୋଦନ ହେବ। ଏହି ବ୍ୟବସ୍ଥାରେ ପିପିପି ନିର୍ଦ୍ଦେଶାଳୟକୁ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନର କ୍ଷମତା ପ୍ରଦାନ କରାଯାଇଛି। ପ୍ରତି ଜିଲ୍ଲାପାଳଙ୍କ ଅଧୀନରେ ଏକ ଜିଲ୍ଲାସ୍ତରୀୟ ପିପିପି କମିଟି ଗଠନ କରାଯିବ। ପିପିପି-୨୦୨୩ ନୀତିରେ ୨୧ଟି କ୍ଷେତ୍ରରେ ବେସରକାରୀ ସହାୟତାର ବ୍ୟବସ୍ଥା କରାଯାଇଛି। ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା, ଦକ୍ଷ ଶକ୍ତି ପରିଚାଳନା, ଅଣପାରମ୍ପରିକ ଶକ୍ତି ଉତ୍ସ ଓ ଅକ୍ଷୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ଦିଆଯାଇଛି।

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ପୃଷ୍ଟଶସ୍ୟର ପ୍ରସାର ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ମିଲେଟ୍ ମିଶନର କାର୍ଯ୍ୟକ୍ରମକୁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକକୁ ସମ୍ପ୍ରସାରିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୋଟ ୨୬୮୭.୪୫କୋଟି ଟଙ୍କାର ବଜେଟକୁ ଅନୁମୋଦନ ମିଳିଛି। ୨୦୧୭-୧୮ ମସିହାରେ ଏହି ମିଶନ ୭ଟି ଜିଲ୍ଲାର ୩୦ଟି ବ୍ଲକରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button