ଲୁଟ୍କରି ଧରିପଡିଲେ ଦୁଇ ଲୁଟେରା
ଉଦଳା : ଲୁଟକରି ଖସିଯିବାକୁ ଉଦ୍ୟମ କରିଥିବା ଦୁଇ ଲୁଟେରା ଲୋକଙ୍କ ହାବୁଡରେ ପଡି ନିସ୍ତୁକ ମାଡ ଖାଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।
ଖବର ଅନୁଯାୟୀ ବୁଧବାର ମଧ୍ୟାହ୍ନରେ ଦୁଇ ଲୁଟେରା ଖୁଣ୍ଟା ବଜାରରେ ଜଣେ ବ୍ୟବସାୟୀଙ୍କ ଗାଡିରୁ ଟଙ୍କା ବ୍ୟାଗ ଲୁଟକରି ବାଇକରେ ଖସିଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକେ ସେମାନଙ୍କ ପିଛାକରିବାରୁ ଧାନଘେରା କ୍ରସର ଛକରେ ଲୁଟେରା ଗାଡି ଓ ଟଙ୍କାବ୍ୟାଗ ଛାଡି ଜଙ୍ଗଲ ଭିତରେ ପସିଯାଇଥିଲେ। ଖୁଣ୍ଟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡି ଓ ଟଙ୍କାକୁ ଜବତ କରିଥିଲା। ଏହା ପରେ ଲୁଟେରାଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଲୁଟେରାମାନେ ଜଙ୍ଗଲ ଭିତର ରାସ୍ତା ଦେଇ ଧାନଘେରା ଗ୍ରାମର ରୁତେଇସାହି ଅଞ୍ଚଳରେ ପଶିଥିଲେ। ସେଠାରେ ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ସ୍ଥାନୀୟ ଲୋକେ ଧରିନେଇ ନିସ୍ତୁକ ମାଡ ମାରିଥିଲେ। ପରେ ସେମାନଙ୍କୁ ଉଦଳା ପୋଲିସକୁ ହସ୍ତାନ୍ତର କରିଥିଲେ।
ପୋଲିସ ଲୁଟର ଶିକାର ହୋଇଥିବା ବାଲେଶ୍ୱର ଅଞ୍ଚଳର ଯୁବକଙ୍କୁ ୧ ଲକ୍ଷ ୫୭ ହଜାର ଟଙ୍କା ପ୍ରଦାନ କରିଛି। ଲୁଟେରାମାନଙ୍କ ଘର ଯାଜପୁର ଜିଲ୍ଲା ପୂର୍ବକୋଟ୍ ଅଂଚଳର ଆଉଲ ଶିବା ଓ ହୁଲା ଗଙ୍ଗା ବୋଲି ଜଣାପଡିଛି। ପୂର୍ବରୁ ସେମାନେ ଉଦଳା ଓ ବୈଶିଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଲୁଟ ଏବଂ ଛିନତାଇରେ ସାମିଲ ଥିବା ପୋଲିସକୁ ସୂଚନା ମିଳିଛି।




























