ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ : ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁଜ ପତାକା ଦେଖାଇ ‘ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଛି ଏହି ସେବା। ଏହା ମାଧ୍ୟମରେ ପଞ୍ଚାୟତରୁ ବ୍ଲକ ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ମୋର ବହୁତ ପ୍ରିୟ। ଓଡ଼ିଶା ବିକାଶର ଲଞ୍ଚିଂ ପ୍ୟାଡ଼୍ ହେଉଛି ଏହି ଅଞ୍ଚଳ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ। ଗାଁ ଅର୍ଥନୀତିକୁ ସୁଦୃଢ଼ କରିବାକୁ ଏହି ଯୋଜନା ଆରମ୍ଭ ହୋଇଛି। ଆଗକୁ ଅନ୍ୟ ଜିଲ୍ଲାରେ ମଧ୍ୟ ଖୁବ ଶୀଘ୍ର ଲକ୍ଷ୍ମୀ ବସ୍ ସେବା ମିଳିବ।
ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ସେବା ସାମିଲ ହେବ। ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ମିଳିବ। ୪୦ ସିଟ୍ ବିଶିଷ୍ଟ ଏହି ବସ୍ ମଧ୍ୟରୁ କିଛି ଶୀତତାପ ନିୟନ୍ତ୍ରୀତ ଥିବାବେଳେ ଆଉ କିଛି ବସ୍ରେ ଏହି ସୁବିଧା ନ ଥିବା ଜଣାପଡିଛି। ଏହି ବସ୍ରେ ଜିପିଏସ୍ ସିଷ୍ଟମ କାମ କରିବ। ଫଳରେ ଲୋକେ ନିଜ ମୋବାଇଲରେ ବସ୍କୁ ଟ୍ରାକ୍ କରି ଅନାୟସରେ ନିଜ ଅଞ୍ଚଳରୁ ସହରକୁ ଯାତାୟତ କରି ପାରିବେ। ଏହାପରେ କାମ ସାରି ନିଜ ଠିକଣାକୁ ଫେରି ବି ପାରିବେ।