ମମିତା ହତ୍ୟାକାଣ୍ଡ : ଗୋବିନ୍ଦଙ୍କ ଡ୍ରାଇଭର ଗିରଫ ଓ ଆଇଆଇସି ନିଲମ୍ବିତ

ଭୁବନେଶ୍ୱର / ବଲାଙ୍ଗୀର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ କଲେଜର ମାଲିକ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଗିରଫ। ଏଥିସହ କେଗାଁ ଥାନା ଆଇଆଇସି ଡମୁ ପରିଜା ନିଲମ୍ବିତ ହୋଇଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଇଆଇସି ଡମୁ ପରିଜାଙ୍କୁ ନିଲମ୍ବନ କରିଥିବା କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନୈତିକ ପ୍ରେମ ସମ୍ପର୍କ ବାହାରେ ପ୍ରଘଟ କରିଦେବାର ଧମକ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପାଇଁ କାଳ ହୋଇଥିବା ବେଳେ ଲୋକଲଜ୍ଜା ଭୟରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଗୋବିନ୍ଦ ପୋଲିସ ନିକଟରେ ସ୍ୱୀକାର କରିଛି।

ଗୋବିନ୍ଦଙ୍କ କହିଛନ୍ତି ମମିତା ତାଙ୍କ ଗୁମର ବାହାରେ ପ୍ରଘଟ କରିଦେବ କହିବାରୁ ତାଙ୍କୁ ଲୋକଲଜ୍ଜା ଚିନ୍ତା ଘାରିଥିଲା। କାହାକୁ ନ କହିବାକୁ ସେ ମମିତାଙ୍କୁ ନେହୁରା ହୋଇଥିଲେ। ସେ ଏହାକୁ ଏଡ଼ାଇ ଯିବାରୁ ରାସ୍ତାରୁ ହଟାଇବାକୁ ଗୋବିନ୍ଦ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେପ୍ଟେମ୍ବର ୨୧ରେ ଶେଷ ଥର ପାଇଁ ମମିତା ହଷ୍ଟେଲକୁ ଆସିଥିଲେ। ସେହିଦିନ ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ଗୋବିନ୍ଦ। କିନ୍ତୁ ମମିତା ସାଙ୍ଗମାନଙ୍କ ସହ ଥିବାରୁ ଉଦ୍ଦେଶ୍ୟ ସଫଳ ହୋଇପାରି ନଥିଲା। ପୁଣି ତାଙ୍କୁ ଘରୁ ଡକାଇ ହତ୍ୟା କରିବାକୁ ଯୋଜନା କରିଥିଲେ ହେଁ ଅସଫଳ ହୋଇଥିଲେ।

ଅକ୍ଟୋବର ୭ ତାରିଖରେ ମିଟିଂ ଅଛି କହି ୬ ତାରିଖରେ ମମିତାଙ୍କୁ ଫୋନ୍‌ କରି ଡକାଇ ଏହାକୁ ୮ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କହିଥିଲେ ଗୋବିନ୍ଦ।। ଏହାପରେ ୮ ତାରିଖରେ ମମିତା ପହଞ୍ଚିବା ପରେ ଭବାନୀପାଟଣାରେ ସପିଂ କରାଇବା ପରେ ମାଣିକେଶ୍ୱରୀ ପୀଠରେ ଗୁମର ନ ଫିଟାଇବାକୁ ଶପଥ ନେବାକୁ କହିଥିଲା। ମାତ୍ର ମମିତା ଏହାକୁ ପ୍ରତ୍ୟାଖାନ କରିବାରୁ ଗୋବିନ୍ଦ କ୍ରୋଧିତ ହୋଇଥିଲେ। ବାଟରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ କୁରସୁର ନିକଟରେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖି ମମିତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟାକରି ମୃତଦେହକୁ ଘରକୁ ନେଇ ଯାଇଥିଲେ।

ପୂର୍ବ ଯୋଜନା ଅନୁଯାୟୀ ଅକ୍ଟୋବର ୬ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରେ ଗାତ ଖୋଲାଯାଇଥିଲା। ମମିତାଙ୍କୁ ମାରିବା ପରେ ଜେସିବି ଡ୍ରାଇଭର ରାଧେଙ୍କୁ ଫୋନ୍‌ କରି ଷ୍ଟାଡିୟମର ପଛ ଗେଟ୍‌ ଖୋଲା ରଖିବାକୁ କହିଥିଲେ। କାର୍‌ ନେଇ ଭିତରେ ପଶିବା ସହିତ ସବୁ କିଛି ଠିକଠାକ୍‌ ଥିବାର ଅଭିନୟ କରି ଖାଇପିଇ ରହିଥିଲେ। ଗାତରେ କିଛି ଟାୟାର ପକାଇବାକୁ ରାଧେକୁ କହିଥିବା ବେଳେ କାଠଗଣ୍ଡି ରଖିବାକୁ ମୁନସୀକୁ କହିଥିଲେ। ନିଜେ ପକାଇଥିଲେ କାର୍ଡବୋର୍ଡ। ରାଧେ ଓ ମୁନସୀ ପଚାରିବାରୁ ଷ୍ଟାଡିୟମର ଆବର୍ଜନା ଜିନିଷ ସେଠାରେ ପୋଡ଼ାଯିବ ବୋଲି କହିଥିଲେ। ରାତିରେ ନିଜେ ମୃତଦେହ ପୋଡ଼ିବା ଓ ପୋତିବା କାମ କରିଥିବାରୁ ଏ ସମ୍ପର୍କରେ କାହାରିକୁ ସୁରାଗ ମିଳିନଥିବା ଗୋବିନ୍ଦ ପୋଲିସକୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button