ଦୁର୍ଘଟଣାସ୍ଥଳରୁ ଦୁଇଦିନ ପରେ ମିଳିଲେ ଚେତା ହରାଇଥିବା ଯୁବକ

ବାଲେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାର ଦୁଇଦିନ ପରେ ଜଣେ ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦୁର୍ଘଟଣାସ୍ଥଳରୁ ଆଜି ସନ୍ଧ୍ୟାରେ ଉଦ୍ଧାର କରାଯାଇଛି।

ଖବର ଅନୁଯାୟୀ ଟ୍ରେନ୍ ଦୁର୍ଘଟଣାରେ ସେ ଟ୍ରେନ୍‌ରୁ ଛିଟିକି ଏକ ବୁଦା ମୂଳରେ ପଡ଼ିଥିଲେ। ସର୍ଚ୍ଚ ଅପରେସନ କରୁଥିବା ପୋଲିସ କର୍ମଚାରୀମାନଙ୍କର ତାଙ୍କ ଉପରେ ନଜର ପଡ଼ିଥିଲା। ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କ ଚେତା ଫେରିଛି। ହେଲେ ସେ ଠିକ୍ ଭାବେ କହିପାରୁ ନାହାନ୍ତି। ଶରୀରରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ଆସାମ୍‌ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ତାଙ୍କ ପକେଟରେ ଥିବା ମୋବାଇଲ ଓ ପର୍ସ ସମେତ ବ୍ୟାଗ୍‌କୁ କେହି ଲୁଟି ନେଇଛି।

ତେବେ ପ୍ରଶାସନ ପକ୍ଷରୁ ତାଙ୍କ ଠିକଣା ସଂଗ୍ରହ କରାଯାଇଛି। ସେ ଟ୍ରେନ୍‌ରେ କର୍ମସ୍ଥଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ତାଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରାଯିବା ପରେ ଘରକୁ ଫେରିବାର ବନ୍ଦୋବସ୍ତ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button