୧୫ରେ ନିଲାମ ହେବ ଓଡ଼ିଶାର ୧୯ କୋଇଲା ଖଣି

ନୂଆଦିଲ୍ଲୀ : ଚଳିତ ମାସ ୧୫ ତାରିଖରେ ପାଞ୍ଚଟି ରାଜ୍ୟର ୩୯ଟି କୋଇଲା ଖଣି ନିଲାମ କରାଯିବ। ଏହି ତାଲିକାରେ ରହିଛି ଓଡ଼ିଶାର ୧୯ଟି ଖଣି। ସେଥିରୁ ୮ଟି ପୂର୍ଣ୍ଣ ଅନୁସନ୍ଧାନ ଓ ୧୧ଟି ଆଂଶିକ ଅନୁସନ୍ଧାନ ହୋଇଥିବା ଖଣି ରହିଛି। ଏହାଛଡା ବିହାରର ୩ଟି, ଝାଡ଼ଖଣ୍ଡର ୭, ମହାରାଷ୍ଟ୍ରର ୫ ଓ ପଶ୍ଚିମବଙ୍ଗର ୫ଟି କୋଇଲା ଖଣି ନିଲାମ ହେବ।
ଖବର ଅନୁଯାୟୀ ୨୦୨୦ରୁ କୋଇଲା ଖଣିର ବାଣିଜ୍ୟିକ ନିଲାମ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ସାତଟି ପର୍ଯ୍ୟାୟ ନିଲାମରେ ୯୧ଟି ଖଣି ନିଲାମ କରାଯାଇଛି ଯାହାର ବାର୍ଷିକ ନାମାଙ୍କିତ କ୍ଷମତା ୨୨୧ ନିୟୁତ ଟନ୍ ରହିଛି। ନିଲାମକୁ ସହଜ କରିବା ଲାଗି ନିୟମରେ କେତେକ ଆବଶ୍ୟକ ପରିବର୍ତ୍ତନ କରାଯାଇଛି। ଖଣିରୁ ଉତ୍ତୋଳନ ହେବାକୁ ଥିବା କୋଇଲାର ବିକ୍ରି ଓ ବ୍ୟବହାର ଉପରେ କୌଣସି ଅଙ୍କୁଶ ନାହିଁ। ଆର୍ଥିକ ଓ ବୈଷୟିକ ଯୋଗ୍ୟତା ମାନଦଣ୍ଡକୁ ହଟାଇ ଦିଆଯାଇଛି। କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଏସବୁ କୋଇଲା ଖଣିର ବ୍ୟାବସାୟିକ ନିଲାମ କରାଯିବ।




























