ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ଵର : ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ ପୋଲିସ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଖବର ଅନୁଯାୟୀ ଶେୟାର ବଜାରରେ ଟଙ୍କା ଲଗାଇବାକୁ ନେଇ ବନସ୍ମିତା ଚାପ ପକାଉଥିବା ଅଭିଯୋଗରେ ମୌସୁମୀ ଚନ୍ଦକା ଥାନାରେ ମାମଲା ରୁଜୁ କରିଥିଲେ। ପରେ ବନସ୍ମିତା ୫.୮୦ଲକ୍ଷ ଟଙ୍କା ଫେରସ୍ତ କରିବାକୁ କହିବାରୁ ଉଭୟଙ୍କ ସହମତିରେ ମାମଲା ପ୍ରତ୍ୟାହାର ହୋଇଥିଲା। ହେଲେ ବନସ୍ମିତା ଧମକ ଦେଉଥିବା ପୁଣି ଅଭିଯୋଗ ଆଣି ମୌସୁମୀ ଥାନାର ଦ୍ଵାରସ୍ଥ ହୋଇଥିଲେ। ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ତେବେ ବନସ୍ମିତା ଓଡ଼ିଶା ହାଇକୋର୍ଟରେ ମାନହାନି ମକଦ୍ଦମା ଦାଏର କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଅଭିନେତ୍ରୀ ମୌସୁମୀ ସୁଟିଂ ପାଇଁ ହାଇଦ୍ରାବାଦ ଯାଇଥିଲେ। ସେଠାରୁ ଫେରିବା ପରେ ପୋଲିସ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ବିରୁଦ୍ଧରେ ଆଇପିସିର ଧାରା -୩୮୫, ୨୯୪, ୫୦୬ ଓ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ବନସ୍ମିତାଙ୍କ ସାମାଜିକ ପ୍ରତିଷ୍ଠାକୁ ସୋସିଆଲ ମିଡିଆ ମାଧ୍ୟମରେ ଖରାପ କରିବାକୁ ପ୍ରୟାସ କରିବା ଓ ଜବରଦସ୍ତି ଟଙ୍କା ଆଦାୟ କରିବା ଆଦି ଅଭିଯୋଗ ମୌସୁମୀଙ୍କ ବିରୁଦ୍ଧରେ ରହିଛି।