ମୁଲ୍ଲା ହସନ ଅଖୁନ୍ଦ ହେବେ ତାଲିବାନୀ ଶାସନର ମୁଖ୍ୟ

କାବୁଲ : ଆଫଗାନିସ୍ତାନରେ ସରକାର ଗଠନ କରିବ ତାଲିବାନ। ଏଥିପାଇଁ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଥିବା ବେଳେ ତାଲିବାନ ପକ୍ଷରୁ ଆଫଗାନର ରାଷ୍ଟ୍ରପତି ଭାବେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ମନୋନୀତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତାଲିବାନ କହିଛି ବୁଧବାର ବିଧିବଦ୍ଧ ଆଫଗାନରେ ତାଲିବାନୀ ଶାସନ ଆରମ୍ଭ ହେବ। ସେହିଦିନ ସରକାର ଗଠନ ସମ୍ପର୍କରେ ଘୋଷଣା ହେବ। ସରକାର ଗଠନ ଉତ୍ସବରେ ଯୋଗଦେବା ପାଇଁ ପାକିସ୍ତାନ, ଚାଇନା, ରୁଷ, କତାର ଓ ଇରାନକୁ ନିମନ୍ତ୍ରଣ ମଧ୍ୟ କରାଯାଇଛି।

ନି ନ୍ୟୁଜ ଇଣ୍ଟରନ୍ୟାଶନାଲ ନାମକ ଗଣମାଧ୍ୟମ ଜଣେ ତାଲିବାନ ସୂତ୍ରରୁ ସରକାର ଗଠନ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ଚାଲିଥିବା ବୈଠକ ବେଳେ ଅମୀରୁଲ ମୋଇନୀ ଶେଖ ହିବାତୁଲ୍ଲା ଅଖୁନ୍ଦଜାଦା ପ୍ରଥମେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦାଙ୍କ ନାଁ ଦେଶର ମୁଖ୍ୟ ଭାବେ ମନୋନୀତ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ସର୍ବସମ୍ମତିକ୍ରମେ ତାଙ୍କ ନାଁ ଉପରେ ମୋହର ବାଜିଛି। ତାଙ୍କର ଦୁଇଜଣ ଡେପୁଟି ରହିବେ। ମୁଲ୍ଲା ବରାଦର ଅଖୁନ୍ଦ ଓ ମୁଲ୍ଲା ଅବଦୁସ ସଲମ ଦେଶର ଉପ ମୁଖ୍ୟ ଭାବେ କାର୍ଯ୍ୟ କରିବେ।

୩ ଜଣ ତାଲିବାନୀ ନେତା ଉକ୍ତ ଗଣମାଧ୍ୟମକୁ ହସନ ଅଖୁନ୍ଦ ଆଫଗାନର ତାଲିବାନ ଶାସନ ବେଳେ ମୁଖ୍ୟ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ହସନ ଅଖୁନ୍ଦ ଏବେ ତାଲିବାନର ନିଷ୍ପତ୍ତି ନେଉଥିବା ପ୍ୟାନେଲ ରେହବରି ଶୁରା ବା ନେତୃତ୍ୱ ପରିଷଦର ମୁଖ୍ୟ ଭାବେ କାମ କରୁଛନ୍ତି। ସେ ତାଲିବାନର ଜନ୍ମସ୍ଥାନ କାନ୍ଦାହାରରେ ରୁହନ୍ତି। ସେ ଦୀର୍ଘ ୨୦ ବର୍ଷ ହେଲାଣି ରେହବରି ଶୁରାର ମୁଖ୍ୟ ଭାବେ କାମ କରିଛନ୍ତି ଓ ନିଜର ସ୍ୱତନ୍ତ୍ର ସ୍ଥାନ ସଂଗଠନରେ ତିଆରି କରିଛନ୍ତି। ତାଙ୍କୁ ସବୁ ସଦସ୍ୟ ସମ୍ମାନ କରନ୍ତି। ସେ ଜଣେ ଧାର୍ମିକ ନେତା ଓ ତାଙ୍କ ଚରିତ୍ର ଓ ନିଷ୍ଠାପର ପାଇଁ ବେଶ ଜଣାଶୁଣା ବୋଲି ଜଣେ ତାଲିବାନୀ ନେତା କହିଛନ୍ତି।

ପୂର୍ବରୁ ଆଫଗାନରେ ତାଲିବାନ ଶାସନ କରୁଥିବା ସମୟରେ ହସନ ଅଖୁନ୍ଦ ବୈଦେଶିକ ମନ୍ତ୍ରୀ ଓ ପରେ ଦେଶର ଉପ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ତାଲିବାନ ସରକାରରେ ହକ୍କାନୀ ନେଟୱର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନୀ ଫେଡରାଲ ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଏଥିସହ ଆଫଗାନର ଇଷ୍ଟର୍ଣ୍ଣ ପ୍ରଦେଶଗୁଡ଼ିକର ରାଜ୍ୟପାଳମାନଙ୍କୁ ସିରାଜୁଦ୍ଦିନ ନିଯୁକ୍ତ କରିବାର କ୍ଷମତା ପାଇଛନ୍ତି। ଆଫଗାନର ପ୍ରତିରକ୍ଷା ମନ୍ତ୍ରୀ ହେବେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲା ୟାକୁବ। ସେ ମୁଲ୍ଲା ହିବାତୁଲ୍ଲାଙ୍କ ମାଦ୍ରାସାରେ ପାଠପଢ଼ୁଥିଲେ। ତାଲିବାନର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ଜବିଉଲ୍ଲା ମୁଜାହିଦଙ୍କୁ ପୂର୍ବରୁ ସୂଚନା ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ସେ ଆଫଗାନର ମୁଖ୍ୟ ହସନ ଅଖୁନ୍ଦଙ୍କ ବରିଷ୍ଠ ମୁଖପାତ୍ର ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି। ମୁଲ୍ଲା ଆମୀର ଖାନ ମୁତ୍ତାକି ତାଲିବାନୀ ଶାସନର ବୈଦେଶିକ ମନ୍ତ୍ରୀ ହେବେ ବୋଲି ରିପୋର୍ଟ ମିଳିଛି। ଏହି ରିପୋର୍ଟରେ ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ବିଷୟରେ କିଛି କୁହାଯାଇନି। ପୂର୍ବରୁ ସେ ରାଷ୍ଟ୍ରପତି ହେବେ ବୋଲି କୁହାଯାଉଥିଲା। ଏହାକୁ ନେଇ ବିବାଦ ହେବାରୁ ତାଲିବାନ ସରକାର ଗଠନ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଏବେ ତାଙ୍କୁ ପୂରା ସରକାରରୁ ବାଦ ଦିଆଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button