ବିଏସକେୱାଇରେ ବୟସ୍କ ମହିଳାଙ୍କୁ ବିଶାଖାପାଟଣାରେ ମିଳିଲା ମାଗଣା ଚିକିତ୍ସା

ଭୁବନେଶ୍ଵର : ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ଵାସ୍ଥ୍ୟ ଯୋଜନା (ବି.ଏସ୍.କେ.ୱାଇ) ଆବାଳ, ବୃଦ୍ଧଙ୍କ ମନରେ ଆଣିଛି ନୂଆ ଆଶା ଓ ଭରଷା। ଦୂରଦୂରାନ୍ତ ଗ୍ରାମର ଗରିବ ବୃଦ୍ଧ ବୃଦ୍ଧା ଆଉ କାହା ଦୟା ଉପରେ ନିର୍ଭର କରି ନୀରବରେ ରୋଗକଷ୍ଟ ଭୋଗ କରୁ ନାହାନ୍ତି। ମାଗଣାରେ ସୁପରସ୍ପେସିଆଲିଟି ଚିକିତ୍ସା ପାଇ ରୋଗମୁକ୍ତ ହେଉଛନ୍ତି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ଗ୍ରାମର ୭୬ ବର୍ଷ ବୟସ୍କ ଶାନ୍ତିକୁମାରୀ ଶତପଥୀ କହନ୍ତି -“ମୋର ପେଟରେ ସିଷ୍ଟ ଟ୍ୟୁମର ହୋଇଥିଲା । ବଡ଼ କଷ୍ଟ ପାଉଥିଲି । ଚିକିତ୍ସା ପାଇଁ ଭୁବନେଶ୍ୱର ବା ବିଶାଖାପାଟଣା ଯିବାକୁ ହେବ । କେଉଁଠୁ ଏତେ ଟଙ୍କା ଆଣି ବାହାରେ ଚିକିତ୍ସା କରିବି । ପୁଅ ଟୁଲୁ କେଉଁଠୁ ବୁଝି ଆସି କହିଲା କାହିଁକି ମନଦୁଃଖ କରୁଛୁ ବୋଉ (ମା’) । ଆମର ବିଜୁ ସ୍ଵାସ୍ଥ୍ୟ କାର୍ଡରେ ବିଶାଖାପାଟଣାରେ ମାଗଣା ଚିକିତ୍ସା ହୋଇପାରିବ । ସେଇ ଭରଷାରେ ବିଶାଖାପାଟଣାର ମେଡିକଭର ହସ୍ପିଟାଲକୁ ଗଲୁ । ବି.ଏସ୍.କେ.ୱାଇ ଟିମ୍ ସାହାଯ୍ୟ କଲେ । ମୋର ଟଙ୍କାଟିଏ ବି ଖର୍ଚ୍ଚ ଲାଗିଲାନି । ସବୁ ପରୀକ୍ଷା, ଚିକିତ୍ସା, ଅପରେସନ ମାଗଣାରେ ହେଲା । ମୁଁ ଏବେ ଭଲ ଅଛି”।

ସେ ଆହୁରି ମଧ୍ୟ କହନ୍ତି ‘’ଭଗବାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଙ୍ଗଳ କରନ୍ତୁ । ତାଙ୍କେ ପରଉପକାର କରୁଛନ୍ତି । ଜଗନ୍ନାଥ ତାଙ୍କୁ ଭଲରେ ରଖିଥାନ୍ତୁ । ତାଙ୍କର ଜୟ ହଉ”। ଶାନ୍ତିକୁମାରୀଙ୍କ ପୁଅ ସୁଶାନ୍ତ କହନ୍ତି, ‘’ମାଆଙ୍କର ପେଟ ଭିତରେ ସିଷ୍ଟ ଟ୍ୟୁମର ଜଣାପଡ଼ିଲା । ତାଙ୍କ ବୟସ ମଧ୍ୟ ଅଧିକ । ଶୀଘ୍ର ଅପରେସନ୍ ନହେଲେ ଅବସ୍ଥା ସଂକଟାପନ୍ନ ହୋଇପାରେ ବୋଲି ଡାକ୍ତର ସତର୍କ କରାଇଥିଲେ । ସୁପରସ୍ପେସିଆଲିଟି ହସ୍ପିଟାଲରେ ବ୍ୟୟ ବହୁଳ ଚିକିତ୍ସା ପାଇଁ ଆମ ପରିବାର ଅସମର୍ଥ । ବି.ଏସ୍.କେ.ୱାଇ କାର୍ଡ ବଳରେ ମେଡିକଭର୍ ହସ୍ପିଟାଲରେ ୧୦ ଦିନ ରହିଲୁ । ହସ୍ପିଟାଲରେ ଲାପ୍ରାସ୍କୋପିକ ଆଡେସିଓଲାଇସିସ୍ ଓ ସିଷ୍ଟ ଅପରେସନ ହେଲା । ଖର୍ଚ୍ଚ ରାଜ୍ୟ ସରକାର ବହନ କଲେ । ମୋ ମା’ଙ୍କ ଜୀବନ ବଞ୍ଚାଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ହୃଦୟଭରା କୃତଜ୍ଞତା ଜ୍ଞାପନ କରୁଛି । ରାଜ୍ୟ ସରକାରଙ୍କ ବି.ଏସ୍.କେ.ୱାଇ ଯୋଜନା ମାଧ୍ୟମରେ ଜଣେ ବୃଦ୍ଧ ମହିଳାଙ୍କର ଚିକିତ୍ସା ସଠିକ୍ ସମୟରେ ହୋଇପାରିବାରୁ ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button