ପ୍ରତିଷ୍ଠା ଦିବସ ସମାରୋହକୁ ସଫଳ ଭାବେ ପାଳନ କରିବାକୁ ବିଜେଡି ସୁପ୍ରିମୋଙ୍କ ପରାମର୍ଶ

ଭୁବନେଶ୍ଵର : ଆସନ୍ତା ୨୬ତାରିଖରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସ ସମାରୋହକୁ ସଫଳ ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ସେ ଆଜି ଦଳର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ, ଜିଲ୍ଲା, ବ୍ଲକ ଓ ନଗର ସଭାପତିଙ୍କ ସମେତ ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ଚିଠି ଲେଖି କହିଛନ୍ତି।

ଖବର ଅନୁଯାୟୀ ବିଜେଡି ସୁପ୍ରିମୋ ଦଳର ସମସ୍ତ ବର୍ଗଙ୍କୁ ଚିଠିରେ ଅବଗତ କରିଛନ୍ତି ସବୁ ନିର୍ବାଚନମଣ୍ଡଳୀର ବ୍ଲକ ଓ ପୌରାଂଚଳସ୍ତରରେ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯିବ। ଏହି ଅବସରରେ ଗଣଦୌଡ଼, ସାଧାରଣ ସଭା, ରକ୍ତଦାନ ଶିବିର ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିସହ ଶ୍ରୀଜଗନ୍ନାଥ ଚେତନା ମୂଳାଧାରରେ ସଫଳ ବିକାଶ ଯାତ୍ରାକୁ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ପୁନଃ ଅଙ୍ଗୀକାର ହେବାକୁ ସେ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି ୨୬ବର୍ଷ ଧରି ଉର୍ତ୍ସଗୀକୃତ ମନୋଭାବ ନେଇ ଦଳ ନିଷ୍ଠାପର ଭାବେ ଲୋକଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସୁଛି। ଓଡ଼ିଶାର ବିକାଶ କରି ଆସୁଥିବା ବିଜୁ ଜନତା ଦଳ ନିଜର ରାଜନୀତିକ କାର୍ଯ୍ୟକ୍ରମ ସହିତ ତା’ର ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଂଚଳିକ ଦଳ ଭିତରେ ଅଧିକ ପ୍ରଶଂସନୀୟ ପରିଚିତ ହୋଇପାରିଛି। ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ସମସ୍ତଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଯୋଗୁ ବିଜୁ ଜନତା ଦଳ ଏବେ ଲୋକଙ୍କ ନିକଟତର ହୋଇପାରିଛି। ବିଭିନ୍ନ ସାଧାରଣ ନିର୍ବାଚନ ଓ ଉପନିର୍ବାଚନ, ସମବାୟ ନିର୍ବାଚନ ସମେତ ବିଗତ ପଂଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାର ୩୦ଟି ଜିଲ୍ଲାରେ ଶତପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ, ୮୦ ପ୍ରତିଶତ ପୌରାଂଚଳ ଆସନ ପାଇବା ହିଁ ସାଧାରଣ ଲୋକଙ୍କ ବିଜୁ ଜନତା ଦଳ ପ୍ରତି ଥିବା ଆସ୍ଥାକୁ ପ୍ରମାଣିତ କରୁଛି। ଲୋକଙ୍କ ଲଗାତାର ଆଶୀଷ, ସମର୍ଥନ ଓ ଶୁଭେଚ୍ଛା ହିଁ ବିକାଶ ଆଭିମୁଖ୍ୟକୁ ଆଗେଇ ନେବାରେ ପ୍ରେରଣା ଦେଇଛି। ଓଡ଼ିଶାବାସୀଙ୍କ ସେବାରେ ନିୟୋଜିତ ହୋଇ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଶକ୍ତି ଦେଇଛି। ୨୬ବର୍ଷର ସଫଳ ଯାତ୍ରା ଓଡ଼ିଶାବାସୀଙ୍କ ଭଲପାଇବା ଆମକୁ ବିକାଶର ସଫଳତାକୁ ଶୀର୍ଷସ୍ତରକୁ ନେବା ପାଇଁ ପ୍ରେରିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button