ବେଙ୍ଗାଲୁରୁ ବୈଠକରେ ୟୁପିଏର ନାଁ ବଦଳିବ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ବିରୋଧୀ ମେଣ୍ଟ ଦଳକୁ ୟୁନାଇଟେଡ୍ ପ୍ରୋଗ୍ରେସ୍ ଆଲିଆନ୍ସ ବା ୟୁପିଏ କୁହାଯିବ ନାହିଁ। ମଙ୍ଗଳବାର ବେଙ୍ଗାଲୁରୁ ଅନୁଷ୍ଠିତ ମେଗା ବିରୋଧୀ ବୈଠକରେ ଦଳର ନୂତନ ନାମ ସ୍ଥିର କରାଯିବାର ସମ୍ଭାବନା ରହିଛି। ଏଥିରେ ୨୦ରୁ ଅଧିକ ଦଳ ଯୋଗଦେବେ ବୋଲି ସୂଚନା ମିଳିଛି।
ଖବର ଅନୁଯାୟୀ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେବଳ ଗୋଟାଏ ପ୍ରସଙ୍ଗ ନୁହେଁ ଆମେ ସବୁ ପ୍ରକାରର ନିଷ୍ପତ୍ତି ନେବୁ। କେଉଁ ବିଷୟ ଉପରେ ଆଲୋଚନା ହେବାକୁ ଯାଉଛି ତାହା ମୁଁ ବର୍ତ୍ତମାନ କହିପାରିବି ନାହିଁ। କଂଗ୍ରେସ ଏକୁଟିଆ ନିଷ୍ପତ୍ତି ନେଉନାହିଁ। ସମସ୍ତ ବିରୋଧୀ ଦଳ ଏକାଠି ବସି ନିଷ୍ପତ୍ତି ନେବେ।
ସୂଚନାଯୋଗ୍ୟ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦୁଇଥର କେନ୍ଦ୍ରରେ କ୍ଷମତାରେ ରହିଥିଲା। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏହାର ଅଧ୍ୟକ୍ଷା ଥିଲେ। ଅନ୍ୟପକ୍ଷରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ବିରୋଧୀ ଦଳ ସମ୍ଭବତଃ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି। ମଙ୍ଗଳବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ଦ୍ଵାରା ବୈଠକ ଆରମ୍ଭ ହେବ ଓ ଅପରାହ୍ନ ୪ଟାରେ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।