ଓଡ଼ିଶାର ଦାରିଦ୍ର୍ୟକୁ ନେଇ ଅପରାଜିତା-ଶ୍ରୀମୟୀ ମୁହାଁମୁହିଁ

ଭୁବନେଶ୍ୱର : ଓଡ଼ିଶା ଦାରିଦ୍ର୍ୟରେ ତଳ ଆଡ଼ୁ ନମ୍ବର ୱାନ। ଏହି ପ୍ରସଙ୍ଗକୁ ନେନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡି ସରକାର ବିକାଶରେ ଏକନମ୍ବର କହୁଥିବାବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଏହାର ଜବାବରେ ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଦାରିଦ୍ର୍ୟ ସୀମାରେଖାରୁ ୨୪ ପ୍ରତିଶତ ଲୋକଙ୍କୁ ବାହାରକୁ ଆଣି ଓଡ଼ିଶା ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପ୍ରଂଶସିତ ହୋଇଛି। ବୋଧହୁଏ ଅପରାଜିତା ଜାଣନ୍ତି ନାହିଁ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଓଡ଼ିଶାର ଦାରିଦ୍ର୍ୟ ସ୍ଥିତି ଓ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଚିନ୍ତାର କାରଣ ସାଜିଛି। ରାଜ୍ୟକୁ ବାସ୍ତବରେ ଏକ ନମ୍ବରରେ ପରିଣତ କରିବାକୁ ହେଲେ ସର୍ବପ୍ରଥମେ ଆମେ ଆମ ନିଜର ବାସ୍ତବ ସ୍ଥିତି ସଂପର୍କରେ ଅବଗତ ହେବା ନିହାତି ଜରୁରୀ। ନ୍ୟାସନାଲ ସେଂପଲ ସର୍ଭେ ଅର୍ଗାନାଇଜେସନର ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତର ହାରରେ ଓଡ଼ିଶାର ସ୍ଥାନ ବହୁ ପଛରେ ରହିଛି। ଜାତୀୟ ସ୍ତରରେ ସହାରଂଚଳ ପରିବାରରେ ‘ହାରାହାରି ସମ୍ପତ୍ତି ମୂଲ୍ୟ’ ୨୭.୧୨ଲକ୍ଷ ଟଙ୍କା ହୋଇଥିବାବେଳେ ଓଡ଼ିଶାରେ ଏହା ୧୩.୪୧ଲକ୍ଷ ଟଙ୍କା। ସେହିପରି ଗ୍ରାମାଂଚଳ ପରିବାରରେ ‘ହାରାହାରି ସମ୍ପତ୍ତି ମୂଲ୍ୟ’ ୧୫.୯୨ ଲକ୍ଷ ଟଙ୍କା ଥିବାବେଳେ ଓଡ଼ିଶାରେ ମାତ୍ର ୫.୩୨ ଲକ୍ଷ ଟଙ୍କା ରହିଛି।

ସେ କହିଲେ ଓଡ଼ିଶାର ଚାଷୀ ପରିବାରର ‘ହାରାହାରି ସମ୍ପତ୍ତି ମୂଲ୍ୟ’ ମାତ୍ର ୬.୨୧ ଲକ୍ଷ ଟଙ୍କା। କିନ୍ତୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ, ଆସାମ ଓ ଝାଡଖଣ୍ଡଠାରୁ ଏ କ୍ଷେତ୍ରରେ ଓଡିଶା ବହୁ ପଛରେ ରହିବା ଅତ୍ୟନ୍ତ ଲଜ୍ଜାଜନକ। କାରଣ ଓଡ଼ିଶାର ପ୍ରତ୍ୟେକ ଚାଷୀଙ୍କ ଦିନକୁ ଆୟ ମାତ୍ର ୧୭୦ ଟଙ୍କା। ଅର୍ଥାତ ସର୍ବଭାରତୀୟ ସ୍ତରରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରହିଛି। ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପୂର୍ଣ୍ଣ ଫେଲ ହୋଇଛି। ଗ୍ରାମାଂଚଳର ୪୦ ପ୍ରତିଶତ ପରିବାର ଋଣଗ୍ରସ୍ତ। ଲୋକଙ୍କ ଋଣ ଓ ସମ୍ପତ୍ତି ଭିତରେ ତାରତମ୍ୟ ୫.୫ ପ୍ରତିଶତ। ଚାଷୀଙ୍କ ଅବସ୍ଥା ମଧ୍ୟ ତଳକୁ ଯାଉଛି ଓ ଓଡ଼ିଶା ୩୬ତମ ସ୍ଥାନରେ ରହିଛି।

୨୦୧୯-୨୦ରେ ଜାତୀୟସ୍ତରରେ ଦାରିଦ୍ର୍ୟ ସୀମାରେଖା ତଳେ ୨୨ ପ୍ରତିଶତ ରହିଥିଲେ। ଓଡ଼ିଶାରେ ଏହା ୩୩.୫୯ ପ୍ରତିଶତ। ସରକାର ଠିକ୍ ଭାବେ ପଦକ୍ଷେପ ନେଇଥିଲେ ରାଜ୍ୟର ସ୍ଥିତି ଏମିତି ହୋଇନଥାନ୍ତା ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ନାରୀ ନିର୍ଯାତନାରେ ସର୍ବଭାରତୀୟ ସ୍ତରରେ ତଳଆଡୁ ଦ୍ୱିତୀୟ ସ୍ଥାନରେ ରହି ଓଡ଼ିଶା ରେକର୍ଡ କରିଛି। ଯୈାତୁକଜନିତ ହତ୍ୟା, ଧର୍ଷଣ, ବ୍ଲାକମେଲ ଓ ନାବାଳିକା ଅତ୍ୟାଚାର ଆଦି ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। କରୋନା ଲକ୍‌ଡାଉନ୍ ସମୟରେ ସମଗ୍ର ଦେଶରେ ମହିଳା ନିର୍ଯାତନା ଓ ହିଂସା ହ୍ରାସ ପାଇଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବୋଧହୁଏ ନିଜକୁ ରାଜନେତା ନୁହେଁ ପ୍ରଶାସକ ବୋଲି ଭାବୁଛନ୍ତି। ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ପ୍ରସଙ୍ଗ ନପାଇ ଗଣମାଧ୍ୟମରେ ରହିବାକୁ ରିପୋର୍ଟର ଭୁଲ୍ ବାଖ୍ୟା କରୁଛନ୍ତି ଓ ପକ୍ଷପାତପୂର୍ଣ୍ଣ ମତ ଦେଉଛନ୍ତି। ସେ ବୋଧହୁଏ ଜାଣନ୍ତି ନାହିଁ ଦାରିଦ୍ର୍ୟ ସୀମାରେଖାରୁ ୨୪ ପ୍ରତିଶତ ଅର୍ଥାତ ୮୦ଲକ୍ଷ ଲୋକଙ୍କୁ ବାହାରକୁ ଆଣି ଓଡ଼ିଶା ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ନୀତି ଆୟୋଗଙ୍କ ଦ୍ୱାରା ପ୍ରଂଶସିତ ହୋଇଛନ୍ତି। ତେଣୁ ଶ୍ରୀମତୀ ଷଡ଼ଙ୍ଗୀ ଶସ୍ତା ରାଜନୀତି କରିବା ପାଇଁ ଏପରି ମତଦେଇ ଓଡ଼ିଶାର ବଦନାମ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଭୁବେନଶ୍ୱର ସାଂସଦ ଭାବେ ତାଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀମୟୀ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button