ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର : ନଭେମ୍ବର ୪ରୁ ୧୭ ଯାଏଁ କରିହେବ ଆବେଦନ

ଭୁବନେଶ୍ଵର : ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’। ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଆଗକୁ ଆହୁରି ସଫଳତା ହାସଲ କରିବାକୁ ପ୍ରୋତ୍ସାହିତ କରିବା ହେଉଛି ଏହାର ଉଦ୍ଦେଶ୍ୟ ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ନଭେମ୍ବର ୪ ତାରିଖ (ଶନିବାର)ଠାରୁ ଆବେଦନ ଆରମ୍ଭ ହେବ। ଏହି ଆବେଦନ ପ୍ରକ୍ରିୟା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପୁରସ୍କାର ପାଇଁ ସମ୍ପୃକ୍ତ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍ www.msp.odisha.gov.inରେ ଆବେଦନ କରିପାରିବେ। ଏହି ପଦକ୍ଷେପ ମାଧ୍ୟମରେ ନୂତନ ଓଡ଼ିଶାର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଶିକ୍ଷକ, ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷା ପ୍ରଶାସକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗକୁ ଉତ୍ସାହିତ କରାଯିବ ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍‌ସିସି) ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି।

ମାଧ୍ୟମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ପାଇଁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆବେଦନ କରିବେ । ସେହିପରି ଶିକ୍ଷକ ପୁରସ୍କାର ପାଇଁ ଶିକ୍ଷକମାନେ ଆବେଦନ କରିବେ । ଅନ୍ୟପକ୍ଷରେ ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ପ୍ରଧାନଶିକ୍ଷକ ଆବେଦନ କରିବେ । ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଆବେଦନ କରିପାରିବେ।

ସେହପରି ଡିଇଓ, ବିଇଓ, ସିଆର୍‌ସିସି ପୁରସ୍କାର ପାଇଁ ସମ୍ପୃକ୍ତ ଅଧିକାରୀ ଆବେଦନ କରିବେ । ଜିଲ୍ଲା ପୁରସ୍କାର ପାଇଁ ଜିଲ୍ଲାପାଳ ଓ ବ୍ଲକ୍ ପୁରସ୍କାର ପାଇଁ ବିଡିଓ ଆବେଦନ କରିିବେ । ଡିଆଇଇଟି ପୁରସ୍କାର ପାଇଁ ସମ୍ପୃକ୍ତ ଡିଆଇଇଟିର ଅଧ୍ୟକ୍ଷ ୱେବସାଇଟ୍‌ରେ ଆବେଦନ କରିବେ । ଅଧିକ ବିବରଣୀ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍‌ରେ ସମସ୍ତ ସୂଚନା ଉପଲବ୍ଧ ରହିଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମେଧାବୀ, ମେଧାବୃତ୍ତି ଓ ନେତୃତ୍ୱ ପୁରସ୍କାର ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି ।

ରାଜ୍ୟସ୍ତରରେ ୧୯, ୪୬୭ଟି ପୁରସ୍କାର ବାବଦରେ ୩୨, ୧୭, ୨୯, ୦୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪, ୫୮, ୫୦, ୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବ । ବ୍ଲକ୍‌ସ୍ତରରେ ୩୪, ୮୫୪ଟି ପୁରସ୍କାର ବାବଦକୁ ୫୯, ୯୭, ୪୦, ୦୦୦ ଟଙ୍କା ପ୍ରଦାନ କରାଯିବ । ମହାନଗର ନିଗମ ସ୍ତରରେ ୫୦ଟି ଓ ସବ୍‌ଡିଭିଜିନାଲ୍‌ ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧, ୬୦, ୦୦୦ ପୁରସ୍କାର ରାଶି ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button