ବକେୟା ମୋଟର ଯାନ ଟିକସ ଓ ଜରିମାନା ଛାଡ଼ ହେଲା

ଭୁବନେଶ୍ଵର : ଛାଡହେଲା ଦୀର୍ଘଦିନରୁ ବକେୟା ରହିଥିବା ମୋଟର ଯାନ ଟିକସ ଓ ଜରିମାନା। ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଯାହା ଫଳରେ ଟିକସ ଓ ଜରିମାନା ଦେଇନଥିବା ପ୍ରାୟ ୫୦ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ ହେବେ।

ଖବର ଅନୁଯାୟୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ଶେଷରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ସେ କହିଲେ ମୋଟର ଯାନ ଟିକସ ଆଦାୟ ପାଇଁ ବାରମ୍ବାର ନୋଟିସ୍ ଓ ସ୍ୱତନ୍ତ୍ର ଅଭିଯାନ ସତ୍ତ୍ୱେ ୨୦୨୨ ମସିହାରେ ମାତ୍ର ୪୬୬୮ଜଣ ମାଲିକଙ୍କଠୁ ବକେୟା ଟିକସ ସଂଗ୍ରହ କରାଯାଇଥିଲା। କେନ୍ଦ୍ର ସରକାର ପୁରୁଣା ଓ ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକୁ ହଟାଇବା ଓ ଅନାଦେୟ ଟିକସ ଛାଡ଼ ଘୋଷଣା କରି ଗାଡ଼ିମାଲିକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଫଳରେ ପୁରୁଣା ପଞ୍ଜିକୃତ ଯାନଗୁଡ଼ିକୁ ସ୍କ୍ରାପିଂ ସୁବିଧା କେନ୍ଦ୍ରରେ ସ୍କ୍ରାପ୍ କରାଇବା ସହଜ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବକେୟା ମୋଟର ଯାନ ଟିକସ ଛାଡ଼/ରିହାତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁ ମାଲିକମାନେ ଗାଡ଼ିଗୁଡ଼ିକୁ ସ୍କ୍ରାପ କରିବାକୁ ଇଚ୍ଛୁକ ଥିବେ ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସମ୍ପୂର୍ଣ୍ଣ ଛାଡ଼ କରିବାର ବ୍ୟବସ୍ଥା ହୋଇଛି।

ଯେଉଁମାନେ ଟିକସ ପ୍ରଦାନ କରି ଗାଡ଼ି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜୋରିମାନା ସମ୍ପୂର୍ଣ୍ଣ ଛାଡ଼ କରାଯିବା ସହ ଗାଡ଼ିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ବହୁ ପୁରୁଣା ଯାନଗୁଡ଼ିକର ମାଲିକମାନେ ସେମାନଙ୍କର ଗାଡ଼ିଗୁଡ଼ିକୁ ସ୍କ୍ରାପ ଓ ପଞ୍ଜିକରଣ ରଦ୍ଦ କରିବା ନିମନ୍ତେ ଆଗେଇ ଆସିବେ ବୋଲି ସରକାର ଆଶା ରଖିଛନ୍ତି। ସେହିପରି ଅନ୍ୟ ଯାନଗୁଡ଼ିକର ଗାଡ଼ି ମାଲିକମାନେ ଯଦି ବ୍ୟବସାୟ କରିବାକୁ ଚାହୁଁଥିବେ ସେମାନେ ଟିକସ ରିହାତି ହାରରେ ଜମା କରିପାରିବେ । ଏହାଦ୍ୱାରା ପର୍ଯ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହ ଗାଡ଼ିମାଲିକମାନେ ଲାଭାନ୍ୱିତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସେହିପରି ଗୋପାଳପୁର ୟୁଟିଲିଟି କରିଡ଼ର ଉନ୍ନୀତିକରଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଗୋପାଳପୁର ବନ୍ଦର ଓ ଗୋପାଳପୁରଠାରେ ସ୍ଥାପିତ ଟାଟା ଷ୍ଟିଲ ଇଣ୍ଡଷ୍ଟ୍ରିଆଲ ପାର୍କ ଅଂଚଳକୁ ଏବେ ଥିବା ଶିଳ୍ପ ଓ ଆଗାମୀ ଦିନରେ ଆସିବାକୁ ଥିବା ଶିଳ୍ପଗୁଡ଼ିକର ସଂଯୋଗୀକରଣ ପଥ (ୟୁଟିଲିଟି କରିଡର) ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତାବିତ ଇପିସି ଟେଣ୍ଡରକୁ ମିଳିଛି କ୍ୟାବିନେଟ୍ ଅନୁମୋଦନ। ଏହାଦ୍ୱାରା ଜିଏସଟିକୁ ବାଦ୍ ଦେଇ ଏହି ପ୍ରକଳ୍ପର ଟେଣ୍ଡର ମୂଲ୍ୟ ୧୨୮.୮୮କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ୧୮ମାସ ମଧ୍ୟରେ ଶେଷ ହେବ। ନିୟୋଜିତ କମ୍ପାନୀ ୧୨୦ମାସର ରକ୍ଷଣାବେକ୍ଷଣ ଦାୟିତ୍ୱରେ ମଧ୍ୟ ରହିବ। ପ୍ରକଳ୍ପ ଦ୍ୱାରା ଅଂଚଳର ସର୍ଭେ, ଆଭ୍ୟନ୍ତରୀଣ ଓ ବାହ୍ୟ ଉନ୍ନତିକରଣ, ରାସ୍ତା ନିର୍ମାଣ, ପମ୍ପ ହାଉସ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଫ୍ଲାଏଓଭର ରାସ୍ତା, ଉଜ୍ୱଳ ଆଲୋକୀକରଣ, ମୃତ୍ତିକା ସଂରକ୍ଷଣ, ଏସଏଫଆରସି କମ୍ପାଉଣ୍ଡ ୱାଲ ଓ କେବୁଲ ଟ୍ରେଂଚ ଇତ୍ୟାଦି କାର୍ଯ୍ୟ କରାଯିବ।

ଏହାଛଡା ଜଟଣୀ ଓ ଭୁବନେଶ୍ଵର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଥିବା ବେଳେ ପୂର୍ବ ବ୍ୟବସ୍ଥା ଅନୁଯାୟୀ ଏସବୁ ଭୂମିହୀନ ପୁରୀ ପୌରସଂସ୍ଥା ଅଧୀନରେ ଲିଜ୍ ସୂତ୍ରରେ ଜମି ପାଇଥିଲେ।

କ୍ୟାବିନେଟ୍‌ ଇଷ୍ପତ୍ତି ଅନୁସାରେ ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। କଟକ ମାଧ୍ୟମିକ ବୋର୍ଡ ହାଇସ୍କୁଲ ମିଳିବ ସରକାରୀ ସ୍କୁଲର ମାନ୍ୟତା। ଓଡ଼ିଶା ସାମାଜିକ ସୁରକ୍ଷା ସେବା କ୍ୟାଡରର ସଂଶୋଧନ ହେବ। ଏଥିସହ ଏମ୍‌ଏସ୍‌ଏମ୍‌ଇ ନୀତି -୨୦୨୨ ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ସଂଶୋଧନ ହେବ। ଓଡ଼ିଶା ଜିଲ୍ଲା ଦେୱାନି ଅଦାଲତ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ଅଧିନିୟମ-୨୦୦୮ରେ ସଂଶୋଧନ ହେବ।

Leave a Reply

Your email address will not be published. Required fields are marked *

Back to top button