ଜାନୁଆରୀ ପହିଲାରୁ ନୂଆ ଗାଡ଼ିରେ ଭିଏଲଟିଡି ଲାଗିବ

ଭୁବନେଶ୍ଵର : ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ବା ଭିଏଲଟିଡି। ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ୩୧ ଡିସେମ୍ବର ୨୦୨୩ ପୂର୍ବରୁ ପଞ୍ଜିକୃତ ଗାଡ଼ି ଗୁଡ଼ିକରେ ଆସନ୍ତା ବର୍ଷ ଜୁନ୍ ୩୦ ସୁଦ୍ଧା ଏହି ଟ୍ରାକିଂ ଡିଭାଇସ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁଯାୟୀ ଶୁକ୍ରବାର ଭୁବନେଶ୍ୱରରେ ଭିଏଲଟିଡି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଏହି ସେଣ୍ଟର ୨୪ ଘଣ୍ଟା କାମ କରିବ। ଦୁଇ ଓ ତିନି ଚକିଆ ଗାଡ଼ିକୁ ଛାଡ଼ି ରାଜ୍ୟର ସବୁ ଯାତ୍ରୀବାହୀ, ମାଲବୁହା ଗାଡ଼ି ଓ ଆମ୍ବୁଲାନ୍ସ ଉପରେ ଏହି ସେଣ୍ଟର ନଜର ରଖିବ। ଯଦି କୌଣସି ବିପଦ ଆଶଙ୍କା କରି ଯାତ୍ରୀ ଏମର୍ଜେନ୍ସି ବଟନ୍ ଦବାଏ ତେବେ ଗାଡ଼ି ଷ୍ଟାର୍ଟ ଠାରୁ ଆରମ୍ଭ କରି କେତେ ବେଗରେ ଚାଲୁଛି, କେଉଁଠି ରହିଲା, କୁଆଡେ ଗଲା, ଗାଡ଼ିରେ କିଛି ସମସ୍ୟା ଉପୁଜିଲା ଏପରି ୪୦ ପ୍ରକାର ସୂଚନା କଣ୍ଟ୍ରୋଲ ସେଣ୍ଟରକୁ ଆସିବ। ଏଥିସହ ଗାଡ଼ିର ମାଲିକ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ, ନିକଟସ୍ଥ ଥାନା, ରକ୍ଷକ ଓ ଟ୍ରମା ସେଣ୍ଟରରେ ପହଞ୍ଚିଯିବ ଖବର। ଫଳରେ ତତ୍କାଳ ସାହାଯ୍ୟ ଯୋଗାଇ ଦିଆଯାଇପାରିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭିଏଲଟିଡିକୁ ଟ୍ୟାମ୍ପର କରାଯାଇପାରିବ ନାହିଁ। ମୋବାଇଲ ନେଟୱର୍କ ନଥିବା ଅଞ୍ଚଳରେ ମଧ୍ୟ ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ।

Leave a Reply

Your email address will not be published. Required fields are marked *

Back to top button