ଆର୍ବିଆଇ ଟଙ୍କା ବଦଳକାରୀଙ୍କୁ ଜେରା କରିବ ଇଓଡବ୍ଲ୍ୟୁ

ଭୁବନେଶ୍ଵର : ରିଜର୍ଭ ବ୍ୟାଙ୍କରେ ଟଙ୍କା ବଦଳ ଘଟଣାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ଜଣଙ୍କ ତାଲିକା କରିଛି। ସେମାନଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି।
ଖବର ଅନୁଯାୟୀ ଇଓଡବ୍ଲ୍ୟୁ ଆର୍ବିଆଇକୁ ଯେଉଁମାନେ ବାରମ୍ବାର ନୋଟ୍ ବଦଳାଇବା ଓ ଆକାଉଣ୍ଟ୍ରେ ଜମା କରିବାକୁ ଆସୁଥିଲେ ସେମାନଙ୍କୁ ଚିହ୍ନଟ କରିଛି। ସିସିଟିଭି ଫୁଟେଜ୍, ଟଙ୍କା ଜମା ଓ ବଦଳର ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଛି ୩୦ଜଣଙ୍କ ତାଲିକା। ସେମାନଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡିବ। ଏପରିକି ଯେଉଁମାନେ ଟଙ୍କା ବଦଳରେ ଅନିୟମିତତା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।
ଅନ୍ୟପଟେ ଆର୍ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବ୍ୟାଙ୍କ ଆକାଉଣ୍ଟ୍ରେ ୨ ହଜାର ଟଙ୍କିଆ ନୋଟ୍ ଜମା ବଢ଼ିବାରେ ଲାଗିଛି। ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ୍ରେ ଜମାର ପରିମାଣ ମାତ୍ର ୫% ରହିଥିଲା। ଏବେ ତାହା ୨୫%ରୁ ୩୦%କୁ ବୃଦ୍ଧିପାଇଛି। ସେ କହିଛନ୍ତି ଯଦି କେହି ଆର୍ବିଆଇରେ ଟଙ୍କା ଜମା କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ପୋଷ୍ଟାଲ ମାଧ୍ୟମରେ ମଧ୍ୟ ୨ ହଜାର ଟଙ୍କିଆ ଜମା କରିପାରିବେ।