ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାଜ୍ୟରେ ୩୬୧ କିମି ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୯୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ର ମୋହର ବାଜିଛି।

ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ଶେଷରେ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଦେଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ କରାଯିବ। ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀକରଣ, ଅପହଞ୍ଚ ଓ ଅସଂଯୋଜିତ ଗ୍ରାମାଞ୍ଚଳକୁ ମୁଖ୍ୟ ସଡ଼କ ସହ ଯୋଡ଼ିବା ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନାରେ ୩୬୧ କିମି ରାସ୍ତା ପାଇଁ ମୋଟ ୯୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିପରି ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ‘ଅବଢ଼ା’ ଯୋଜନା ଲାଗୁ ହୋଇଛି। ଏହି ଯୋଜନାର ଅଟକଳ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଂଜୁରୀ ମିଳିଥିବା ବେଳେ ୩୨୦୮ କୋଟିର ବ୍ୟୟବରାଦକୁ ୪୨୨୪.୨୨ କୋଟିକୁ ବୃଦ୍ଧି ନିଷ୍ପତ୍ତି ହୋଇଛି। ଗଂଜାମ ଶୀତଳାପଲ୍ଲୀରେ ହସ୍ପିଟାଲ ପାଇଁ ଟାଟାଷ୍ଟିଲକୁ ୪୩ ଏକର ଜମି ଓ ରାୟଗଡ଼ା ମଝିଘରିଆଣି ମନ୍ଦିର ବିକାଶ ପାଇଁ ୬ ଏକର ଜମି ଦିଆଯିବ।

ସଉରା ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦର ସାମିଲ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏନେଇ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବ ବୋଲି ଅନୁସୂଚିତ ଜାତ ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି। ଭାରତୀୟ ସମ୍ବିଧାନରେ ଅନ୍ତର୍ଭୁକ୍ତ ହେଲେ ସଉରା ଭାଷା ଓ ସଂସ୍କୃତିର ବିକାଶ ହେବ।‌ ଏହି ନିଷ୍ପତ୍ତିରେ ୫ ଲକ୍ଷ ସଉରା ଭାଷାଭାଷୀ ଲୋକ ଉପକୃତ ହେବେ। ୧୯୩୦ ମସିହାରେ ସଉରା ଲିପି ଆରମ୍ଭ ହୋଇଥିଲା। ଭାରତ ସରକାରଙ୍କୁ ରାଜ୍ୟ ସରକାର ଅନେକ ଥର ବିଭିନ୍ନ ଆଦିବାସୀ ଭାଷା ଯଥା ‘ହୋ, ମୁଣ୍ଡାରି ଓ ଭୂମିଜ’କୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହାଛଡା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି।

ଏହାବ୍ୟତୀତ ଟାସ୍କଫୋର୍ସ ରିପୋର୍ଟ ପରିଶିଷ୍ଟ ଭିଏରେ ଉଲ୍ଲେଖିତ ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକରେ ଲିଜ୍ ଦଲିଲ ସମ୍ପାଦନ ଓ ଅନ୍ୟାନ୍ୟ ଆବଂଟନ ପରବର୍ତ୍ତରୀ କାର୍ଯ୍ୟାବଳୀ ସମ୍ପର୍କିତ ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମୋହର ବାଜିଛି। ଟାସ୍କଫୋର୍ସ ତାଙ୍କର ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିଶ କରିଛନ୍ତି ଇଚ୍ଛାଧୀନ କୋଟା ଆବଂଟନଗ୍ରାହୀ ଓ ଏକାଧିକ ଆବଂଟନଗ୍ରାହୀମାନଙ୍କ ଦ୍ୱାରା ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକ ରଦ୍ଦ କରାଯିବା ଉଚିତ୍। କିନ୍ତୁ ଏକାଧିକ ଘର ଓ ପ୍ଲଟ୍ ହାତେଇଥିବା ବ୍ୟକ୍ତି କିମ୍ବା ସରକାରୀ ଅଫିସରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଟାସ୍କଫୋର୍ସ ରିପୋର୍ଟରୁ ପ୍ରାବଧାନକୁ ହଟାଇବା ଦ୍ଵାରା ଏହି ଅବଧି ମଧ୍ୟରେ ଇଚ୍ଛାଧୀନ କୋଟାରେ ଆବଂଟିତ ମୋଟ ୧୭୩୭ଟି ପ୍ଲଟ୍ ଓ ଘର ଆଇନତଃ ବୈଧ ରହିବ।

ସୂଚନାଯୋଗ୍ୟ ୧୯୯୫ରୁ ୨୦୧୧ ମସିହା ମଧ୍ୟରେ ବିଡିଏ, ସିଡିଏ ଓ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ଇଚ୍ଛାଧୀନ କୋଟାରେ ମୋଟ ୧୭୯୧ଟି ପ୍ଲଟ ଓ କୋଠା ଆବଂଟିତ ହୋଇଛି। ବିଡିଏରେ ୮୦୩, ସିଡିଏରେ ୯୨୧ଟି ଓ ଗୃହ ନିର୍ମାଣ ବୋର୍ଡରେ ୬୭ଟି ଆବଂଟନ ରହିଛି। ସେଥିରୁ ମାତ୍ର ୫୪ଟି ଏକାଧିକ ଆବଂଟନ ଚିହ୍ନଟ ହୋଇଛି। ଯେଉଁଥିରେ ବିଡିଏର ୧୮ଟି, ସିଡିଏର ୩୨ଟି ଓ ଗୃହ ନିର୍ମାଣ ବୋର୍ଡର ୪ଟି ଆବଂଟନ ରହିଛି। ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍ ଓ ଘର ନେଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ନୋଟିସ୍ ଜାରି କରି ସେମାନଙ୍କୁ ଅତିରିକ୍ତ ଘର ଓ ପ୍ଲଟ୍ ଫେରାଇବା ପାଇଁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button