କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ବାଚସ୍ପତି

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିରୋଧୀଦଳ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଆଜି ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି।
ଖବର ଅନୁଯାୟୀ ବାଚସ୍ପତି କହିଛନ୍ତି ସବୁ ରାଜନୈତିକ ଦଳ ସହିତ କଥାବାର୍ତ୍ତା କରି ନୀତିନିୟମ ଅନୁସାରେ ଆଲୋଚନା ପାଇଁ ନିର୍ଦ୍ଧାରିତ ସମୟ ବିଷୟରେ ସୂଚନା ଦେବି। ବୁଧବାର କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦାଖଲ କରିଥିଲେ। ଏହି ନୋଟିସ୍କୁ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସେକ୍ରେଟେରି ଜେନେରାଲ୍ଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ସେହିପରି ଭାରତ ରାଷ୍ଟ୍ର ସମିତି ନେତା ନାଗେସ୍ଵର ରାଓ ଅନାସ୍ଥା ପ୍ରସ୍ତାବ ପାଇଁ ବାଚସ୍ପତିଙ୍କ ନିକଟରେ ପୃଥକ୍ ନୋଟିସ୍ ଦାଖଲ କରିଥିଲେ।
ଲୋକସଭାରେ ଗ୍ରହଣ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍କୁ ଇଣ୍ଡିଆ ମେଣ୍ଟର ସମସ୍ତ ବିରୋଧୀ ଦଳ ସମର୍ଥନ କରିଛନ୍ତି। ମଣିପୁର ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ହାଜର ହୁଅନ୍ତୁ ବୋଲି ଦାବି କରି ବିରୋଧୀ ସାଂସଦମାନେ ସ୍ଲୋଗାନ୍ ଦେଇ ବିଶୃଙ୍ଖଳା କରିବାରୁ ପୂର୍ବାହ୍ନରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।