ସ୍ୱଚ୍ଛଳ ଶାସନତନ୍ତ୍ର : ଅଚଳ ଅର୍ଥନୀତି

।। ମାୟାଧର ନାୟକ ।। ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍ । ବସ୍ତାବସ୍ତା ଭାଷଣବାଜିର ରିହାତି-ରାଜନୀତି । ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ – ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ ପାଗଳ । ଆଗେ ଆମର ରାଷ୍ଟ୍ରନୀତିଜ୍ଞ ଥିଲେ – ଯେଉଁମାନଙ୍କ ସଂଖ୍ୟା ହ୍ରାସ ଘଟିଛି ଶୋଚନୀ ୟଭାବରେ । ଏବେ ଅବଶ୍ୟ ରାଜନୀତିଜ୍ଞ ଅଛନ୍ତି କେତେକ – ମାତ୍ର ଚଳନ୍ତି ରାଜନୀତିର ଚକ୍ରବ୍ୟୂହରେ ସେମାନେ ନିଷ୍ପ୍ରଭ ଚରିତ୍ର ଜଣେ ଜଣେ । ବର୍ତମାନର ରାଜନୀତି ଏକପ୍ରକାର ପ୍ରଜା ଶୋଷଣଧର୍ମୀ ପ୍ରବୃତି ନହେଲେ ରାଜକୋଷ ଲୁଣ୍ଠନମୁଖୀ ବାଜନୀତି । ରାଜନୀତିକୁ ବାଜନୀତିରେ ବଦଳାଇ ଦେଇଥିବା ଅପଶକ୍ତିର ଆଜ୍ଞାବହବର୍ଗ ଗୋଟିଏ ଗୋଟିଏ ଦଳ ଗଢିସାରା ଦେଶକୁ ଦଖଲ କରିବାକୁ ବ୍ୟଗ୍ର । ଏମାନେ କେବଳ ମିଥ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀ, ଅବିଚାରୀ ବା ମୁଖାଧାରୀ ନୁହନ୍ତି, ଦରକାର ପଡିଲେ ଏମାନେ ବିଭାରତୀୟ ଗଣତନ୍ତ୍ରର ହତ୍ୟାକାରୀ ହେବାକୁ ହାତ ମିଳାନ୍ତି ପରସ୍ପର ସହିତ ।

ଗୋଟିଏ ଚୂଡାନ୍ତ ବିଡମ୍ବନାର ପର୍ଯ୍ୟାୟରେ ପହଂଚିସାରିଛି ଭାରତବର୍ଷର ରାଜନୀତି । ତାହା ହେଉଛି, କେବଳ ବଣିକବର୍ଗ ଓ ଧନିକବର୍ଗର ସମବାୟ ସମିତିକୁ ନେଇ ଗଢା ହେଉଛି ଶାସନ ଓ ପ୍ରଶାସନ ବ୍ୟବସ୍ଥା । କେବଳ ଧନୀଲୋକେ ନିର୍ବାଚନୀ ରାଜନୀତିର ମଇଦାନରେ ଦଳୀୟ ଟିକେଟ୍ ପାଇ ଯାତ୍ରା ଦେଖାଉଛନ୍ତି ଜନଗଣଙ୍କୁ । ଜଣେ ଗରିବଲୋକ ଯେତେ ଯୋଗ୍ୟତା, ଦକ୍ଷତା ଓ ଆନ୍ତରିକତାର ଅଧିକାରୀ ହେଉ ପଛେ – ଏ ଚନ୍ଦନଚର୍ଚ୍ଚିତ ଚିହ୍ନାବ୍ରାହ୍ମଣମାନଙ୍କ ଚିତାଚଇତାନୀ ରାଜନୀତି ତାକୁ ନେତୃତ୍ୱ ସ୍ତରକୁ ଉନ୍ନୀତ କରାଇବାର ସୁଯୋଗ ଦିଏନା । ଗରିବ ଲୋକଟିଏ ଖୁବ୍‌ ବେଶିରେ ମୁଖିଆକର୍ମୀ ପର୍ଯ୍ୟନ୍ତ ଯାଇପାରେ, ମାତ୍ର ଟିକେଟ୍‌ କିଣି ନିର୍ବାଚନ ଜିଣି ନେତାହେବା କି ମନ୍ତ୍ରୀହେବା ତା’ପକ୍ଷରେ ସହଜ ବ୍ୟାପାର ନୁହେଁ ।

ଗଣତନ୍ତ୍ରରୁ ଗରିବକ୍ରମେ ବିଦାୟ ନେଉଛି । ଗରିବ ନାଆଁରେ ଗୁରୁଗମ୍ଭୀର ଧ୍ୱନି ଦେଇ ଧନ୍ୟ ଏବେ ନିଜକୁ ବୋଲାଉଛି ନେତା – ଏ ଜନତାର ହର୍ତାକର୍ତା-ଦୈବ ବିଧାତା । ବ୍ୟୟବହୁଳ ନିର୍ବାଚନ କେବଳ ନକଲି ନେତୃତ୍ୱର ରାଜନୈତିକ ବିସ୍ତାରବାଦ ନିମନ୍ତେ ବାଟ ଫିଟାଉଛି । ଏହାଦ୍ୱାରା ଜାତୀୟସମ୍ପତି ଉପରେ ଶ୍ୱେନଦୃଷ୍ଟି ପକାଉଥିବା ଧନୀ ଧୂର୍ତମାନେ ଜାତୀୟ ବିପତିକୁନେଇ ମିନିଟିଏ ବିମୁଣ୍ଡବ୍ୟଥାରେ ଘାରିହେଉଥିବା ଉପଲବ୍‌ଧି କରିପାରୁନାହାନ୍ତି କେହି । ‘ଦାରିଦ୍ର୍ୟ’ ଏଭଳି ଏକ ସୂତ୍ର, ଯାହାକୁନେଇ ଏଠି ଏବେ ରାଜନୈତିକ ଦାରିବୃତି ନିଜ ନିଷିଦ୍ଧ ବଜାର ବିଛାଇବାର ବେଶ୍‌ ସଫଳ ହୋଇପାରିଛି । କିନ୍ତୁ ଏ ‘ସଫଳତା’ ଆମ ଜାତୀୟ ବ୍ୟର୍ଥତାକୁ ସାରା ଦୁନିଆ ଦରବାରରେ ସାବ୍ୟସ୍ତ କରିସାରିଛି ଶତସହସ୍ର ଗୁଣ ।

ଜନତା ଦିନକୁଦିନ ଦରିଦ୍ର ହେଉଥିବା ବେଳେ ନେତା ହେଉଛି ଧନୀ ଓ ମାନୀ । ଧନବଳରେଏଠି ଆୟତ କରାଯାଇ ପାରୁଛି ଜନବଳକୁ । ମନୋବଳ ଭାଙ୍ଗିପଡୁଛି ଯୁବ ପିଢିର । ବାଟବଣା ହେଉଛି ବେକାର ଯୁବକ, ବେରୋଜଗାର ଗରିବ, ନିଃସ୍ୱକୃଷକ, ନିର୍ଦ୍ଧନ ଶ୍ରମିକ – ସାଧାରଣ ସର୍ବହରା ମଣିଷ । ରାଜନୀତି ଏଠି ଚାଲିଚି ବହୁଦଳୀୟ ଏକ ସୁପରିକଳ୍ପିତ ଯୋଜନାରେ । ସେ ଯୋଜନାର ସୂତ୍ରଧର ହେଉଛନ୍ତି ବିଦେଶୀ ପୁଞ୍ଜି ଉପରେ ପ୍ରତିଷ୍ଠିତ ଦେଶୀ ଶିଳ୍ପପତିଗୋଷ୍ଠୀ ଏବଂ ସେମାନଙ୍କ ଭତାରେ ପରିପାଳିତ ଓ ପରିଚାଳିତ ଏ ଦେଶର ସୁବିଧାବାଦୀ ନ୍ୟସ୍ତସ୍ୱାର୍ଥ ସ୍ୱଚ୍ଛଳ ରାଜନୈତିକ ନେତୃପକ୍ଷ । ଦେଶ ଓ ଜାତିକୁ ନେଇ ଛଦ୍ମଚରିତ୍ରବର୍ଗ ଟେକି ଦେଉଛନ୍ତି ଭୟଙ୍କର ଭବିଷ୍ୟତ ହାତରେ । ଏଠି ଚଷାମୂଲିଆମାହାଳିଆ ମରୁଚି, ଯୁବକ ଅକାଳ ବାର୍ଦ୍ଧକ୍ୟ କରୁଚି, ଶିଶୁ ମୃତ୍ୟୁରହାର ଆହୁରି ବଢୁଚି । ବଂଚୁଛନ୍ତି ସେଇମାନେ – ଯେଉଁମାନେ ଜନଜୀବନକୁ ତଳିତଳାନ୍ତ କରି ସୁଇସ୍‌ ବ୍ୟାଙ୍କ୍‌ରେ ନିଜ ସତାଇଶ ପୁରୁଷ ପାଇଁ ସଂପାଦି ରଖିଛନ୍ତି କଳାଟଙ୍କାର ଗୁପ୍ତ ଆକାଉଂଟ୍ !

କୁଆଡେ ଏତେ କଳାଟଙ୍କା ସୁଇସ୍‌ ବ୍ୟାଙ୍କ୍‌ରେ ଅଛି ଯେ ସେଠୁ ମାତ୍ର ୨୩ ଲକ୍ଷ କୋଟି ଟଙ୍କା ଆସିପାରିଲେ ଭାରତର ପ୍ରତି ଗାଆଁ ପିଛା ପଡିବ ୪ କୋଟି ଟଙ୍କା ଭାଗ ଏବଂ ଏଇ ଭାଗରେ ଗଢିଉଠିବ ଗରିବର ଗଣତନ୍ତ୍ର ! କି ଧୂଆଁବାଣ ! କେବଳ ମିଛ ମଣିଷମାନଙ୍କ ମଲା ଘୋଡାର ଟାଙ୍କ ମାପିବା ବାଗବାଇଶ ଇଏ ! ଗରିବାର ଗଣତନ୍ତ୍ରକୁ ଧୂର୍ତର ଧନତନ୍ତ୍ର କାହିଁକି ବା ବଂଚାଇ ରଖିବାର ଆନ୍ତରିକ ଉଦ୍ୟମ ବଜାୟ ରଖିବ ?

‘ନେତା’ ଶଦ୍ଦର ଅର୍ଥ ଆଜି ପ୍ରଦୂଷିତ । ଖଚୁଆ, ମିଛୁଆ, ଲାଂଚୁଆ ଚରିତ୍ରର ନାମାନ୍ତର ପାଲଟିଛି ଏଇ ‘ନେତା’ ଶଦ୍ଦ । ଏକ ନକାରାତ୍ମକ ଦୃଷ୍ଟିଭଂଗୀ ବ୍ୟାପି ସାରିଛି ଭାରତୀୟ ରାଜନୀତିର ‘ନେତା’ ପଦକୁ ନେଇ । ନେତିବାଚକ ନେତୃତ୍ୱ ଓ ନୀତିରହିତ ରାଜନୀତିରେ ଭାରତବର୍ଷ ନୟାନ୍ତ । ପ୍ରଶାସନ ଆଉ ଜନଗଣଙ୍କ ପ୍ରତ୍ୟୟର ପରୀକ୍ଷା ଦେବାକୁ ଯୋଗ୍ୟ ନୁହେଁ । ସ୍ୱାର୍ଥସେବୀ ଶାସନର ସଇତାନୀ ଚକ୍ର ସିଏ । ହାକିମ ଆଗରେ ହାରିଗୁହାରି କରି କରି ହାରିସାରିଚି ହତାଶ – ପୁଲିସ୍ ପାଖରେ ଫେରାଦି ହେଇ ହେଇ ଫେରାର୍‌ ହେଇଯାଇଚି ଫକିରା । ଗରିବ ଗଢିବ ଗଣତନ୍ତ୍ର – ଯଦି ହଟି ପାରିବ ନକଲି ନେତୃତ୍ୱର ଶାସନତନ୍ତ୍ର, ଧୂର୍ତ ଧଳାହାତୀମାନଙ୍କର ଧନତନ୍ତ୍ର, ଅମାନ ବିକତାରେ ଅଭ୍ୟସ୍ତ ଅବଶ ଅମଲାତନ୍ତ୍ର ! ନହେଲେ ନିସ୍ତାର ନାହିଁ ।

ନିସ୍ତାର ଦରକାର ଏ ସରକାର ଛତ୍ରଛାୟାଶ୍ରିତ ଅମଲାତାନ୍ତ୍ରିକ ଆଭିମୁଖ୍ୟରୁ । ଅମଲାତନ୍ତ୍ରର ଅଳିଆ ଗଦାରେ ଆମର ଲକ୍ଷ ଲକ୍ଷ ହେକ୍ଟର ଚାଷଜମିର ଭାଗ୍ୟ ଫିତାବନ୍ଧା ଫାଇଲ୍ ପାଲଟି ସାରିଛି । ପ୍ରଶାସନ କ’ଣ ? କେବଳ ଖଂଟ କୁର୍ସିର ଚାରିଖୁରା – ଯେଉଁ ଚାରିଖୁରାରେ ବନ୍ଧାହୋଇ ରହିଛି ବଂଧୁକ, ସିଂଦୁକ, ଯୋଜନା, ପରିଚାଳନା । ଜନଗଣଙ୍କ ଜୀବନ ସଂଗ୍ରାମର ସ୍ୱାଧୀନତା ପାଇଁ ଏ ଚାରୋଟିର ମୁକ୍ତି ଆଗେ ଦରକାର । ଅର୍ଥାତ୍‌ ବଂଧୁକର ଗୁଳି କୌଣସି ଗରିବ, ଦିନମଜୁରିଆ, ଆଦିବାସୀକି ଅଧିବାସୀର ଛାତି ଆଡକୁ ଉଦ୍ଦିଷ୍ଟ ନହେଉ – ସିଂଦୁକର ସଂପତି କୌଣସି ଶାସିତ, ଶୋଷିତ, ବଂଚିତକି ପ୍ରବଂଚିତର ସ୍ୱେଦ ଶୋଣିତରେ ଉପାର୍ଜିତ ଅର୍ଥଆଡକୁ ତୋଷରପାତୀ ତୀକ୍ଷ୍‌ଣ ଦୃଷ୍ଟି ନ ପକାଉ-ଯୋଜନାର ଯନ୍ତ୍ରଶାଳା କୌଣସି ଜାତି ବା ଜନଜାତିର ଉନ୍ନୟନ ନିମନ୍ତେ ଅଭିପ୍ରେତ ଅଟକଳକୁ ଅଟ୍ଟହାସ ନ କରୁ – ଏବଂ ପରିଚାଳନାର ପରୀକ୍ଷାନିରୀକ୍ଷା କୌଣସି ସନ୍ଧିବା ଅଭିସନ୍ଧିର ଶିକାର ନହେଉ । ଦୁଃଖର କଥା ଯେ ବର୍ତମାନ ସ୍ୱଚ୍ଛଳ ଶାସନତନ୍ତ୍ରର ଅଚଳ ଅର୍ଥନୀତି ସାରା ଦେଶକୁ ପଙ୍ଗୁତ୍ୱ ଆଡକୁ ମୁହାଁଇନେଉଛି । ଆଜିର ଚଂଚକ ରାଜନୀତି ଆଗରେ ଚାଣକ୍ୟ ଅର୍ଥନୀତି ଆଣ୍ଠେଇ ପଡିଛି ।

ହାୟ ! ଅର୍ଥନୀତିଜ୍ଞ ବି କହୁଛନ୍ତି ରାଜନୀତି ଆଙ୍କ ବ୍ୟୟ ବରାଦର ଆୟ-ଆଦାୟ ବାବଦରେ ମୁଣ୍ଡ ନ ଖେଳାଇବା ପାଇଁ ! ୟା’ଠାରୁ ବଳି ବିଡମ୍ବନା ଆଉ କ’ଣ ଥାଇପାରେ ? ଆଜିର ଭାରତବର୍ଷ ଯେତେବେଳେ ଚଳନ୍ତି ରାଜନୀତିର ଚଳୁକରା ଚରିତ୍ର ଉପରୁ ଆସ୍ଥା ହରାଇବାକୁ ଯାଉଛି, ସେତେବେଳେ ଆମେ ସମସ୍ତେ ଲୋଡୁଚୁ ଅସଲ ଅର୍ଥନୀତି ରହିତୋପଦେଶ । ମାତ୍ର ଆଜି ଅର୍ଥନୀତି ବି ରାଜନୀତିର ରିସ୍ତେଦାର ? ଅର୍ଥନୈତିକ ମାନ୍ଦାବସ୍ଥାର ଆତଙ୍କଜନକ ଆବହାୱାରେ ସାରା ଦୁନିଆକୁ ତ୍ରସ୍ତ କରି ରଖିବାକୁ ଚାହୁଁଥିବା ଧୂର୍ତ ଧନତନ୍ତ୍ର ଏବେ ଭାରତବର୍ଷକୁ ନିଜ କଂସେଇଖାନାରେ ପରିଣତକରି ଧ୍ୱସ୍ତ କରିଦେବ ଉତରପିଢିର ନବଭାରତକୁ ।

ନବଭାରତର ରାଜନୀତି ଏ ଭବସଂକଟକୁ ସାମ୍ନାକରିବ ନା ନାହିଁ ? ବର୍ତମାନର ଭକ୍ଷକ ରାଜନୀତିର ଭସ୍ମାସୁରମାନଙ୍କ କବଳରୁ ଦେଶ ଓ ଜାତିକୁ ବଂଚାଇବାକୁ ହେଲେ ପ୍ରଥମେ ଦରକାର ରାଜନୀତିରୁ ଦଳମାନଙ୍କୁ ଉଚ୍ଛେଦ କରିବାର ଅଭିଯାନ । ଦଳ ପାଇଁ ନୁହେଁ, ଦେଶ ପାଇଁ ଯେଉଁ ରାଜନୀତି – ତାହାହିଁ ଆମର ଦାବୀ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave a Reply

Your email address will not be published. Required fields are marked *

Back to top button