ପଞ୍ଜଶୀରରେ ଜାରିରହିବ ତାଲିବାନ ବିରୋଧୀ ଲଢେଇ : ଅହମ୍ମଦ ମାସୁଦ

କାବୁଲ : ଆଫଗାନସ୍ତାନର ପଞ୍ଜଶୀରରେ ଲଢେଇ ଶେଷ ହୋଇନି। ଆମ ସେନା ଏବେ ମଧ୍ୟ କଡା ଟକ୍କର ଦେଉଛନ୍ତି ବୋଲି କହିଛନ୍ତି ରେଜିଷ୍ଟଣ୍ଟସ୍‌ ଫୋର୍ସେସ୍‌ ନେତା ଅହମ୍ମଦ ମାସୁଦ।

ପଞ୍ଜଶୀର କବ୍‌ଜା କରିନେଇ ଗଭର୍ଣ୍ଣର ହାଉସ୍‌ରେ ତାଲିବାନୀ ପତାକା ଉଡାଇଥିବା ତାଲିବାନ ଦାବି କରିଥିଲା। ଏହାକୁ ନେଇ ଅହମ୍ମଦ ମାସୁଦ ଟ୍ୱିଟ୍‌ ଯୋଗେ ଅଡିଓ ବାର୍ତ୍ତା​‌ ଜାରିକରି ପ୍ରତିକ୍ରିୟା ଦେଇଛନ୍ତି। ଆଉ ଦେଶର ଜନତାଙ୍କୁ ତାଲିବାନ ବିରୁଦ୍ଧରେ ଏକାଠି ହୋଇ ବିଦ୍ରୋହ କରିବାକୁ ଗୁହାରି କରିଛନ୍ତି। ନିଜର ଫେସବୁକ ପେଜ୍‌ରେ ସେ ପୋଷ୍ଟ କରିଥିବା ଅଡିଓ ବାର୍ତ୍ତାରେ ପଞ୍ଜଶୀରକୁ ବଞ୍ଚାଇବାକୁ ଅନୁରୋଧ କରୁଥିବା ଶୁଣିବାକୁ ମିଳିଛି। ମାସୁଦ କହିଛନ୍ତି ପଞ୍ଜଶୀରରେ ମାସୁଦ ସେନା ଏବେ ମହଜୁଦ ଅଛନ୍ତି। ତାଲିବାନ ସହିତ ଲଢେଇ ଜାରି ରହିଛି। ଶେଷ ନିଶ୍ୱାସ ଥିବାଯାଏଁ ଆଫଗାନିସ୍ତାନ ପାଇଁ ଲଢେଇ ଜାରି ରଖିବି। ନିଜର ଆତ୍ମସମ୍ମାନ, ସ୍ଵତନ୍ତ୍ରତା ଓ ଦେଶର ସମୃଦ୍ଧି ପାଇଁ ମିଳିତ ଭାବେ ତାଲିବାନ ବିରୁଦ୍ଧରେ ଲଢେଇ କରନ୍ତୁ।

ଅନ୍ୟପକ୍ଷରେ ପଞ୍ଜଶୀର କବ୍‌ଜା କରିନେଇଥିବା ନେଇ ତାଲିବାନ ଦାବି କରିବା ସହିତ ସେଠାରେ ତାଲିବାନୀ ପତାକା ଉଡାଇଥିବା କହିଥିଲା। ଏଥିସହ ଆଫଗାନସ୍ତାନରେ ନୂଆ ସରକାର ଗଢିବାର ନିକଟତର ହେଉଥିବା ତାଲିବାନ ଦାବି କରିଛି। କିନ୍ତୁ ଏବେ ଅହମ୍ମଦ ମାସୁଦଙ୍କ ଅଡିଓ ମେସେଜ୍‌ ତାଲିବାନକୁ ଚିନ୍ତାରେ ପକାଇଦେଇଛି। କାରଣ ତାଲିବାନ ଦାବି କରିଥିଲା ପଞ୍ଜଶୀରର ସମସ୍ତ ୮ ଜିଲ୍ଲାକୁ କବ୍‌ଜା କରିନିଆଯାଇଛି। ହେଲେ ମାସୁଦଙ୍କ ଟ୍ୱିଟ୍‌ ପରେ ଏହା ଭୁଲ ପ୍ରମାଣିତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button