ରାଜ୍ୟରେ ଗଣତନ୍ତ୍ରର ଶାସନ ନାହିଁ : ପିସିସି ସଭାପତି

ଭୁବନେଶ୍ଵର : ରାଜ୍ୟରେ ଗଣତନ୍ତ୍ରର ଶାସନ ନାହିଁ। ବାବୁତନ୍ତ୍ରର ଶାସନ ଚାଲିଛି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଗୁରୁବାର ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଓଡ଼ିଶାରେ ମନ୍ତ୍ରୀ, ବିଧାୟକ, ସାଂସଦମାନେ, ସମସ୍ତେ କ୍ଷମତାଶୂନ୍ୟ। ମୁଖ୍ୟମନ୍ତ୍ରୀ ଜଣେ ସେଚ୍ଛାଚାରୀ ଓ ଗଣତନ୍ତ୍ର ବ୍ୟବସ୍ଥାର ବିରୋଧୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ନାହିଁ। ରାଜ୍ୟର ନିର୍ବାଚିତ ପ୍ରତିନିଧିମାନଙ୍କୁ ସାଧାରଣ ଲୋକେ ନିଜ ଦୁଃଖ ଜଣାଇବାକୁ ଗଲାବେଳେ ମନ୍ତ୍ରୀ ଓ ବିଧାୟକମାନେ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି। ଦୀର୍ଘ ୨୩ ବର୍ଷର ଶାସନରେ ଓଡ଼ିଶାକୁ କୌଣସି ସୁଫଳ ମିଳିଲା ନାହିଁ। ସୌମ୍ୟବାବୁ ଏକ ଖବରକାଗଜର ସମ୍ପାଦକ ଭାବେ ରାଜ୍ୟ ଶାସନର ପ୍ରକୃତ ସ୍ଥିତିକୁ ସମ୍ପାଦକୀୟରେ ଲେଖିବା କ’ଣ ଭୁଲ୍‌ ? ଏହା କ’ଣ ଜନ ବିରୋଧୀ କି ବୋଲି ସେ ପ୍ରଶ୍ନ କରିଥିଲେ। ଯଦି ସୌମ୍ୟବାବୁ ଏତେ ଅନିୟମିତତା କରୁଥିଲେ ତାଙ୍କୁ ନିଜ ଦଳରେ ସାମିଲ କରିଥିଲ କେମିତି ? ସେହିପରି ରେମୁଣା ବିଧାୟକଙ୍କ ଦୁର୍ନୀତି କଥା ସରକାରଙ୍କୁ ୪ ବର୍ଷ ପୂର୍ବରୁ ଜଣାଥିଲେ ମଧ୍ୟ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ସେ କହିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂସଦରେ ଯେଉଁ ଦାବି ଉପସ୍ଥାପନ କରିଛନ୍ତି ତାହାକୁ ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରୁଛି। ସେ କହିଲେ ଗତକାଲି ଲୋକସଭାରେ ଯେଉଁ ମହିଳା ସଂରକ୍ଷଣ ବିଲ୍ ପାସ୍ କରାଗଲା ତାହା ହେଉଛି କଂଗ୍ରେସ ଦଳର ଅନୁଚିନ୍ତା। ମହିଳାମାନଙ୍କୁ ପଂଚାୟତ ଓ ନଗରପାଳିକାରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ରଖିବା ପାଇଁ ପୂବର୍ତନ ପ୍ରଧାନମନ୍ତ୍ରୀ ୧୯୮୯ ମସିହାରେ ୭୩ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପିଭି ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୧୯୯୩ ମସିହାରେ ଏହି ବିଲ୍‌କୁ ଆଇନ୍‌ରେ ପ୍ରଣୟନ କରାଯାଇଥିଲା। ଏହି ଆଇନ୍ ବଳରେ ଆଜି ୧୫ ଲକ୍ଷରୁ ଅଧିକ ମହିଳା ଭାରତ ବର୍ଷରେ ବିଭିନ୍ନ ପଂଚାୟତ ଓ ନଗରପାଳିକାକୁ ନିର୍ବାଚିତ ହୋଇ କାର୍ଯ୍ୟଭାର ଦକ୍ଷତାର ସହ ତୁଲାଉଛନ୍ତି। ୨୦୧୦ ମସିହାରେ ମାର୍ଚ୍ଚ ମାସ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀଙ୍କ କାଳରେ ମହିଳା ସଂରକ୍ଷଣ ବିଲ୍‌କୁ ରାଜ୍ୟ ସଭାରେ ପାରିତ କରିଥିଲେ। କଂଗ୍ରେସ ଦଳ ମହିଳାଙ୍କୁ ଲୋକସଭା ଓ ବିଧାନ ସଭାରେ ୩୩ ପ୍ରତିଶତ ସଂରକ୍ଷଣ ମିଳୁ ବୋଲି ବହୁବାର ଏଥିପାଇ ପ୍ରୟାସ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍‌କୁ କଂଗ୍ରେସ ଦଳର ପୂର୍ଣ୍ଣସମର୍ଥନ କରେ । ମୋଦୀ ସରକାର ଏହି ବିଲ୍‌କୁ ଦୀର୍ଘ ୯ ବର୍ଷ ଧରି କାହିଁକି ଲୋକସଭାରେ ଆଗତ କଲେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ ଓ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button