ଫୁଟପାଥରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ

କୋଲକାତା : ମାନସିକ ରୋଗରେ ଆକ୍ରାନ୍ତ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶାଳୀ ଇରା ବାସୁ ଦୁଇବର୍ଷ ହେଲା ଫୁଟପାଥରେ ଜୀବନ କାଟୁଛନ୍ତି। ଅତୀତରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଅନେକ ସଭାରେ ଇରାଙ୍କୁ ଦେଖିବାକୁ ମିଳିଛି।

ଇରା ବାସୁ ଖଡଦହର ପ୍ରିୟନାଥ ବାଳିକା ବିଦ୍ୟାଳୟରେ ଜୀବନ ବିଜ୍ଞାନର ଶିକ୍ଷୟିତ୍ରୀ ଥିଲେ। ୧୯୭୬ରୁ ୨୦୦୯ ପର୍ଯ୍ୟନ୍ତ ଥିଲେ ଅଧ୍ୟାପିକା। ଅବାସରଗ୍ରହଣ ପରେ ତାଙ୍କୁ ପିଏଫ୍ ଟଙ୍କା ମିଳିଥିଲା। କିନ୍ତୁ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିନପାରିବାରୁ ତାଙ୍କର ପେନସନ୍ ହୋଇପାରିନାହିଁ। ୭୨ ବର୍ଷୀୟ ଇରା ଉତ୍ତର ୨୪ ପରଗନା ଜିଲ୍ଲାର ଡନଲପ୍ ପାଖ ଏଟିଏମର ଏକ କୋଣରେ ରହୁଛନ୍ତି। ଭିଣୋଇ ବୁଦ୍ଧଦେବ ଓ ଭଉଣୀ ମୀରାଙ୍କ ବିଷୟରେ ପଚାରିବାରୁ ଅବିବାହିତ ଇରା ରାଗି ଯାଇଥିଲେ। ଆଉ କହିଥିଲେ ସେମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଦୁହେଁ ଅସୁସ୍ଥ ଅଛନ୍ତି। ସେମାନଙ୍କୁ କରୋନା ହୋଇଥିଲା। ସେମାନଙ୍କ ସମ୍ବନ୍ଧରେ ମୋତେ କିଛି ପଚାରନ୍ତୁ ନାହିଁ।

ଫୁଟପାଥରେ ରହିବା ସତ୍ତ୍ୱେ ଇରା କାହାଠାରୁ ଭିକ ମାଗିନାହାନ୍ତି। ନିଜ ଅର୍ଥରେ ଚା’ ପିଅନ୍ତି। ଅନେକ ଦୋକାନୀଙ୍କୁ ନିଜ ପଇସାରେ ବିରିୟାନୀ ଖୁଆଇଛନ୍ତି। ନିଜ ପାଇଁ ନିୟମିତ ଏକ ହୋଟେଲରୁ ଭାତ, ଡାଲି ଓ ତରକାରୀ କିଣି ଖାଆନ୍ତି। ଯଦି କେହି ତାଙ୍କୁ ଖାଇବାକୁ ଦିଏ ସେ ମନା କରି ଦିଅନ୍ତି। ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟରୁ ଆବଶ୍ୟକ ଅନୁଯାୟୀ ଟଙ୍କା ଉଠାନ୍ତି। ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ କରୋନାକୁ ନେଇ ବେଶ ସତର୍କ। ଏ ସମ୍ପର୍କରେ ଅନ୍ୟମାନଙ୍କୁ ସଚେତନ କରାନ୍ତି। ସେ କହନ୍ତି କେବଳ ମାସ୍କ ପିନ୍ଧିଲେ ହେବନି ଶାରୀରିକ ଦୂରତା ମାନିବାକୁ ପଡ଼ିବ। ଏଣେ ତେଣେ ଛେପ ପକାଇବା ଅନୁଚିତ। ଇରା ନିୟମିତ ଇଂରାଜୀ ଓ ବଙ୍ଗାଳୀ ନ୍ୟୁଜ୍ ପେପର୍ ପଢ଼ୁଥିବା ବେଳେ ଅନଲାଇନ୍ ପାଠପଢ଼ାର ଘୋର ବିରୋଧୀ। ଏହାଦ୍ୱାରା ପିଲାମାନଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ିବ ବୋଲି ତାଙ୍କର ମତ।

Leave a Reply

Your email address will not be published. Required fields are marked *

Back to top button