ପ୍ରଫୁଲ୍ଲ ଘଡ଼େଇଙ୍କୁ ନବୀନଙ୍କ ସାକ୍ଷାତ ମିଳିଲାନି : ପାଣ୍ଡିଆନଙ୍କୁ ଭେଟି ଫେରିଲେ
![ପ୍ରଫୁଲ୍ଲ ଘଡ଼େଇଙ୍କୁ ନବୀନଙ୍କ ସାକ୍ଷାତ ମିଳିଲାନି : ପାଣ୍ଡିଆନଙ୍କୁ ଭେଟି ଫେରିଲେ 1 janatakhabar.in](https://janatakhabar.in/wp-content/uploads/2023/12/prafull-pandian.jpg)
ଭୁବନେଶ୍ଵର : ନବୀନ ନିବାସରେ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼େଇ। ଦୀର୍ଘଦିନର ବ୍ୟବଧାନ ପରେ ସେ ନବୀନ ନିବାସ ଯାଇଥିଲେ ହେଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିପାରି ନାହାନ୍ତି। କିନ୍ତୁ ନିକଟରେ ବିଜେଡିରେ ସାମିଲ ହୋଇଥିବା ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। କୁହାଯାଉଛି ଯାଜପୁର ବିଜେଡି ରାଜନୀତିରେ କିଛି ପରିବର୍ତ୍ତନ ହୋଇପାରେ। ହେଲେ ଏଥିରେ କେତେକ ସହମତ ନୁହନ୍ତି। ସେମାନଙ୍କ ମତ ନବୀନଙ୍କ ଦେଖା ନମିଳିବା ବରିଷ୍ଠ ଘଡେଇଙ୍କ ପାଇଁ ଭଲ ସଂକେତ ନୁହେଁ। ବିଜେଡିରେ ପୁଣି ପତିଆରା ଜାହିର କରିବା ତାଙ୍କ ପାଇଁ ଏତେ ସହଜ ହେବନାହିଁ।
ଖବର ଅନୁଯାୟୀ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼େଇ ୨୦୧୪ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ। ୨୦୧୯ରେ ଦଳକୁ ଫେରିଲେ। ଏବେ ପୁଣି ପୂର୍ବସ୍ଥିତିକୁ ଫେରିବା ପାଇଁ ସେ ପ୍ରୟାସ ଆରମ୍ଭ କରିଛନ୍ତି। କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟକୁ ମାଧ୍ୟମ କରି ସେ ଭିକେ ପାଣ୍ଡିଆନଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହା ପଛରେ ରହିଛି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଲକ୍ଷ୍ୟ। ପାଣ୍ଡିଆନଙ୍କୁ ଭେଟିବା ସହିତ ନବୀନଙ୍କୁ ଦେଖା କରିବେ। କିନ୍ତୁ ତାଙ୍କର ଏହି ଉଦ୍ଦେଶ୍ୟ ସଫଳ ହୋଇପାରିନି। ଯେହେତୁ ପାଣ୍ଡିଆନଙ୍କୁ ବିଭିନ୍ନ ସଂଗଠନର ଲୋକମାନେ ଭେଟୁଛନ୍ତି ସେହି କ୍ରମରେ ବରିଷ୍ଠ ଘଡ଼େଇ ଉଦ୍ଦେଶ୍ୟ ସାଧନ ପାଇଁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ଭାବେ ପାଣ୍ଡିଆନଙ୍କୁ ବେତିବାକୁ ନବୀନ ନିବାସ ଯାଇଥିଲେ।
ସୂଚନାଯୋଗ୍ୟ ୨୦୧୨ ମେ’ ୨୯ ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ପରଠାରୁ ବିବାଦରେ ପ୍ରଫୁଲ୍ଲ ଘଡ଼େଇ। ସେଥିପାଇଁ ତାଙ୍କୁ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ମିଳିଲାନି। ୨୦୧୪ ସେପ୍ଟେମ୍ବରରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବାରୁ ବିଜେଡିରୁ ବହିଷ୍କୃତ ହୋଇଥିଲେ। ୨୦୧୯ ମାର୍ଚ୍ଚରେ ବହିଷ୍କାର ନିର୍ଦ୍ଦେଶ ପ୍ରତ୍ୟାହାର ହୋଇଥିଲେ ହେଁ ତାଙ୍କୁ ଏଯାଏ କୌଣସି ଦଳୀୟ ଦପଦବୀରେ ଥଇଥାନ କରାଯାଇନାହିଁ। କିନ୍ତୁ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏବେ ମନ୍ତ୍ରୀ ଅଛନ୍ତି।