ସ୍ୱର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ସହାୟତା ରାଶି ବଢିଲା

ଭୁବନେଶ୍ଵର : ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି ହୋଇଛି। ଏଣିକି ଏହି ସହାୟତା ରାଶି ୩ ହଜାର ପରିବର୍ତ୍ତେ ୪ ହଜାର ଟଙ୍କା ଦିଆଯିବ। ଗତକାଲି ମଧ୍ୟରାତ୍ରୀ ଠାରୁ ସହାୟତା ରାଶି ବୃଦ୍ଧି କରାଯାଇଛି।

ଖବର ଅନୁଯାୟୀ ପୂର୍ବରୁ ହିତାଧିକାରୀ ହରିଶ୍ଚନ୍ଦ୍ର ସହାୟତାରେ ଦାହ କାର୍ଯ୍ୟ ପାଇଁ ଦେଢ଼ କ୍ୟୁଣ୍ଟାଲ କାଠ ପାଉଥିଲେ। ଏବେ ୧ କ୍ୟୁଣ୍ଟାଲ ୮୦ କେଜି ପାଇବେ। ସେହିପରି ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ୨୦୦ଗ୍ରାମରୁ ହୋଇଛି ୩୦୦ ଗ୍ରାମ। ଏହାଛଡା ଶବ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି କାଠ ବୋହି ନେବା ପାଇଁ କେବଳ ଟ୍ରଲି ସୁବିଧା ପାଉଥିଲେ। ଏବେ କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକ ମୁତୟନ କରାଯାଇଛି। ଏହି ସେବକ ମାନେ ଟ୍ରଲି ସାହାଯ୍ୟରେ ମୃତବ୍ୟକ୍ତିଙ୍କ ଦାହ ସଂସ୍କାର ସ୍ଥାନକୁ କାଠ ବୋହି ନେଇ ଥୋଇବେ। ଏଥିସହ

କେବଳ ସେତିକି ନୁହେଁ ସ୍ଵର୍ଗଦ୍ଵାର ସେବାକେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏସଏମଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଯଦି କେହି ତାଙ୍କ ରସିଦ ହଜାଇ ଦେଇଥାନ୍ତି ତେବେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ପୁଣି ରସିଦର ନକଲ ପାଇପାରିବେ। ଆଗକୁ ଲୋକେ ସେମାନଙ୍କ ପରିଜନଙ୍କ ମୃତଦେହକୁ ସୁବିଧାରେ ସଂସ୍କାର କରିବା ନିମନ୍ତେ ସ୍ଵର୍ଗଦ୍ଵାର ଆପ୍ ଓ ୱେବସାଇଟର ସୁବିଧା ପାଇବେ। ମୃତଦେହ ସଂସ୍କାର ନିମନ୍ତେ ଏଠାରେ ନିଯୁକ୍ତ ସଂସ୍କାର ସେବକଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯିବା ସହିତ ମୃତ୍ୟୁକାଳୀନ ଓ ବିବାହ ସହାୟତା ରାଶି ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ପୁରୀ ସ୍ଵର୍ଗଦ୍ଵାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ପରିଚାଳନା ଦାୟିତ୍ୱରେ ଥିବା ସ୍ଵର୍ଗଦ୍ଵାର ସେବା ସମିତି ଏହି ପଦକ୍ଷେପ ନେଇଥିବା ସମିତିର ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସ୍ଵର୍ଗଦ୍ଵାର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁରୀ ପୌରସଂସ୍ଥା ଠାରୁ ଦାୟିତ୍ୱ କାଢ଼ି ନେଇ ସ୍ଵର୍ଗଦ୍ଵାର ସେବା ସମିତି ହାତରେ ଦିଆଯାଇଛି। ସ୍ୱର୍ଗଦ୍ୱାରରେ ଅବ୍ୟବସ୍ଥା, ଶବ ସଂସ୍କାରରେ ତ୍ରୁଟି, ହରିଶ୍ଚନ୍ଦ୍ର ସହାୟତା ରାଶି ବାଟମାରଣ, ଜନ ଅସନ୍ତୋଷକୁ ନେଇ ଆରଡିସି ତଦନ୍ତ ରିପୋର୍ଟ ଆସିବା ପରେ ପରିଚାଳନା ଦାୟିତ୍ୱକୁ ପୁରୀ ପୌରସଂସ୍ଥା ଠାରୁ କାଢ଼ି ନିଆଯାଇ ନୂତନ ଭାବେ ଗଠିତ କମିଟି ହାତରେ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button