କଂଗ୍ରେସ କ୍ଷମତାକୁ ଆସିଲେ ଜାତିଗତ ଗଣନା କରାଯିବ : ରାହୁଲ

ନୂଆଦିଲ୍ଲୀ : ଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମେ ଜାତିଗତ ଗଣନା କରାଯିବ। ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ଖବର ଅନୁଯାୟୀ ଶନିବାର ମଧ୍ୟପ୍ରଦେଶର ଶାଜାପୁରଠାରେ ଜନଆକ୍ରୋଶ ରାଲିରେ ଯୋଗଦେଇ ରାହୁଲ କହିଛନ୍ତି ଯଦି କୌଣସି ଆଘାତ ଲାଗିଥାଏ ତେବେ ପ୍ରଥମେ ଏକ୍ସ-ରେ କିମ୍ବା ଏମଆରଆଇ କରାଯାଏ। ଏହାଦ୍ଵାରା କେଉଁଠାରେ ସମସ୍ୟା ରହିଛି ତାହା ଜଣାପଡ଼ିଥାଏ। ଆମ ଦେଶରେ କେତେଗୁଡ଼ିଏ ପଛୁଆ ବର୍ଗ (ଓବିସି), ଆଦିବାସୀ ଓ ଦଳିତ ଅଛନ୍ତି ସେ ବିଷୟରେ କାହାରି ପ୍ରଶ୍ନ ନାହିଁ। ଆମକୁ ଭାରତର ଏକ ଏକ୍ସ-ରେ କରିବାକୁ ପଡ଼ିବ। ସେଥିରୁ ଜଣାଯିବ ଦେଶର ବଜେଟ ଉପରେ ଓବିସିମାନଙ୍କର କେତେ ନିୟନ୍ତ୍ରଣ ରହିଛି। ସେମାନଙ୍କର ଜନସଂଖ୍ୟା କ’ଣ ? ଭାରତ ଆଗରେ କେବଳ ଗୋଟିଏ ପ୍ରସଙ୍ଗ ଅଛି ତାହା ହେଲା ଜନଗଣନା। ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ଏହା ପ୍ରଥମ କାର୍ଯ୍ୟ ହେବ। ଆମେ ଏଠାରେ କହିବୁ ଆମ ପାଖରେ କେତେ ଓବିସି ଅଛନ୍ତି।
ରାହୁଲ ଗାନ୍ଧୀ ମହିଳା ସଂରକ୍ଷଣ ବିଲ୍ ସହିତ ଜାତି ଜନଗଣନା ପ୍ରସଙ୍ଗ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ ପଚାରିଥିଲେ ଆପଣ କାହିଁକି ମହିଳା ସଂରକ୍ଷଣରେ ଓବିସି ସଂରକ୍ଷଣ ରଖିନହାନ୍ତି ? ଏହାର କୌଣସି ଉତ୍ତର ମିଳିଲା ନାହିଁ। ନରେନ୍ଦ୍ର ମୋଦୀ କହିଛନ୍ତି ବିଜେପିରେ ଓବିସି ବିଧାୟକ ଓ ସାଂସଦ ଅଛନ୍ତି। କିନ୍ତୁ ମୁଁ କହିବାକୁ ଚାହେଁ ଚାରିଟି ରାଜ୍ୟରେ କଂଗ୍ରେସ ସରକାର ଅଛି। ଏ ମଧ୍ୟରୁ ତିନିଜଣ ଓବିସି ମୁଖ୍ୟମନ୍ତ୍ରୀ ହେଉଛନ୍ତି। ଏଥିରୁ ଓବିସି ପ୍ରତି କଂଗ୍ରେସର ମନୋଭାବ ସ୍ପଷ୍ଟ ହେଉଛି।