ରେଳ ପ୍ରକଳ୍ପ ପାଇଁ ୫ ଓଏଏସଙ୍କୁ ଜମି ଅଧିଗ୍ରହଣ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଆଜି ୫ ଜଣ ଓଏଏସ ଅଫିସରଙ୍କୁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ସମସ୍ତଙ୍କୁ ତତ୍କାଳ ପ୍ରଭାବରୁ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇ ବେଳେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆଠଗଡ଼ ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କୁ ତାଳଚେର-ସମ୍ବଲପୁର ରେଳ ପ୍ରକଳ୍ପର ଦୋହରୀକରଣ ପାଇଁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ସମ୍ବଲପୁରକୁ ବଦଳି କରାଯାଇଛି। ସେ ସମ୍ବଲପୁର-ଟିଟିଲାଗଡ଼ ରେଳ ପ୍ରକଳ୍ପର ଦୋହରୀକରଣ ପାଇଁ ଜମି ଅଧିଗ୍ରହଣ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁଙ୍କୁ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଲାଗି ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ କେନ୍ଦ୍ରାପଡ଼ା ବଦଳି କରାଯାଇଛି। ସେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳଲାଇନ୍ ଏବଂ ଶାଳଗାଁ-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ରେଳଲାଇନ ପ୍ରକଳ୍ପ ନିମନ୍ତେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଦାୟିତ୍ୱ ତୁଲାଇବେ। ଆଠଗଡ଼ ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓଙ୍କୁ ତାଳଚେର-ସମ୍ବଲପୁର ରେଳପ୍ରକଳ୍ପର ଦୋହରୀକରଣ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜୋନ୍ ଅଫିସର ଭାବେ ଅନୁଗୁଳ ବଦଳି କରାଯାଇଛି। ସେ ବୁଢ଼ାପଙ୍କ-ଝାରପଡ଼ା ତୃତୀୟ ଓ ଚତୁର୍ଥ ରେଳ ଲାଇନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟର ତଦାରଖ କରିବେ।

ସେହିପରି ସୋନପୁର ଡେପୁଟି ଜିଲ୍ଲାପାଳ ମୁକ୍ତେଶ୍ୱର ପାଣିଗ୍ରାହୀଙ୍କୁ ଲାଞ୍ଜିଗଡ଼ ରୋଡ୍‌-ଜୁନାଗଡ଼ ନୂଆ ରେଳଲାଇନ୍ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର ଭାବେ ଭବାନୀପାଟଣା ବଦଳି କରାଯାଇଛି। ବିଜୟନଗରମ୍‌-ଟିଟିଲାଗଡ଼ ତୃତୀୟ ରେଳଲାଇନ୍ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ ତାଙ୍କ ଉପରେ ନ୍ୟସ୍ତ ହୋଇଛି। ଜଗତସିଂହପୁର ଡେପୁଟି ଜିଲ୍ଲାପାଳ ଅଜୟ କୁମାର ମହାନ୍ତିଙ୍କୁ ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ନୂଆ ରେଳଲାଇନ୍ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର ଭାବେ ଜୟପୁର ବଦଳି କରାଯାଇଛି।

Leave a Reply

Your email address will not be published.

Back to top button