ରାଷ୍ଟ୍ରୀୟ ପୁରୁଷ ଆୟୋଗ ଗଠନ ଦାବି ଯାଚିକାକୁ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୁରୁଷମାନଙ୍କ ପାଇଁ ଜାତୀୟ ଆୟୋଗ ଗଠନ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି।

ଖବର ଆନୁଯାୟୀ ଘରୋଇ ହିଂସାରେ ପୀଡିତ ପୁରୁଷଙ୍କ ଆତ୍ମହତ୍ୟା ସହ ଜଡିତ ମାମଲାଗୁଡ଼ିକର ସମାଧାନ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ଏବଂ ଆୟୋଗ ଗଠନ କରିବାକୁ କୋର୍ଟଙ୍କ ନିକଟରେ ଦାବି କରାଯାଇଥିଲା। ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଦୀପଙ୍କର ଦତ୍ତ ଏହି ମାମଲାର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ତୁମେ କେବଳ ଏକପାଖିଆ ଚିତ୍ର ଉପସ୍ଥାପନ କରିବାକୁ ଚାହୁଁଛ। ବିବାହ ପରେ ଜୀବନ ହରାଇଥିବା ଯୁବତୀଙ୍କ ତଥ୍ୟ ଆପଣ ଦେଇପାରିବେ କି ? କେହି ଆତ୍ମହତ୍ୟା କରିବାକୁ ଚାହାଁନ୍ତି ନାହିଁ।

ସୂଚନାଯୋଗ୍ୟ ଓକିଲ ମହେଶ କୁମାର ତିୱାରୀଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଇଥିଲା। ଏଥିରେ ଦେଶରେ ପୁରୁଷଙ୍କ ଆତ୍ମହତ୍ୟା ସମ୍ପର୍କରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଦର୍ଶାଯାଇଥିଲା। ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ଦେଶରେ ୧ ଲକ୍ଷ ୬୪ ହଜାର ୦୩୩ ଜଣ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୮୧ ହଜାର ୦୬୩ ଜଣ ପୁରୁଷ ଓ ୨୮ ହଜାର ୬୮୦ ଜଣ ମହିଳା ରହିଛନ୍ତି। ୨୦୨୧ ମସିହାରେ ୩୩.୨ ପ୍ରତିଶତ ପୁରୁଷ ପାରିବାରିକ ସମସ୍ୟା ହେତୁ ଆତ୍ମହତ୍ୟା କରିଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୪.୮ ପ୍ରତିଶତ ରହିଛି।

Leave a Reply

Your email address will not be published. Required fields are marked *

Back to top button