ଟିଟିଲାଗଡ଼ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ କଂଗ୍ରେସ

ଟିଟିଲାଗଡ଼ : ଆସନ୍ତା ୨୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିଟିଲାଗଡ ଗସ୍ତକୁ କଂଗ୍ରେସ ଦଳ ବିରୋଧ କରିବ। ଏହା କହିଛନ୍ତି ଟିଟିଲାଗଡ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ।
ଖବର ଅନୁଯାୟୀ ଆସନ୍ତା ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ କଂଗ୍ରେସ ଦଳ ବିରୋଧ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରୀ ଭୋଇ। ସେ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଟିଟିଲାଗଡକୁ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ହେଲାନାହିଁ। ସେହିପରି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଥିବା ହସ୍ପିଟାଲରେ ଡାକ୍ତର ପଦବୀ ଖାଲି ରହିଥିବା ବେଳେ ଏକ୍ସରେ ମେସିନ କାର୍ଯ୍ୟକ୍ଷମ ହେଉନାହିଁ। ସେଭଳି ଟିଟିଲାଗଡ଼ରେ ଅନେକ ସ୍ଥାନରେ ଭିତ୍ତିଭୂମି ଓ ଜଳସେଚନର ଅଭାବ ଓ ପାନୀୟ ଜଳ ଯୋଗାଣ ବିଫଳ ଭଳି ସମସ୍ୟା ରହିଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ନାଁରେ ଲୋକଙ୍କୁ ଭୂଆଁ ବୁଲାଉଥିବା ସେ ଅଭିଯୋଗ ଆଣିଛନ୍ତି।