ଦୁର୍ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

ବାଲେଶ୍ଵର : ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ୩୦୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୭ଟାରେ ଦୁର୍ଘଟଣାର ଶିକାର ହୋଇଥିବା ସବୁ ଆହତଙ୍କୁ ଉଦ୍ଧାର କରାଯାଇଛି। ଏଭଳି ମର୍ମନ୍ତୁଦ ଘଟଣାର ଅନୁଧ୍ୟାନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳ ଗସ୍ତକରି ସ୍ଥିତି ପରଖିବା ସହ ଆହତଙ୍କୁ ଭେଟିଛନ୍ତି।

ଖବର ଅନୁଯାୟୀ ଶନିବାର ପ୍ରଧାନମନ୍ତ୍ରୀ ଘଟଣାସ୍ଥଳକୁ ଯାଇ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ରେଳବାଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବାଲେଶ୍ୱର ହସ୍ପିଟାଲ ଯାଇ ରୋଗୀଙ୍କୁ ଭେଟି ସେମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି। ଏହାସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଓଡ଼ିଶା ସରକାର, ସ୍ଥାନୀୟ ଲୋକେ, ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ, ପୋଲିସ, ବରିଷ୍ଠ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂସ୍ଥମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁର୍ଘଟଣାସ୍ଥଳରୁ ପ୍ରଧାନମନ୍ତ୍ରୀ ଟେଲିଫୋନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ କଥା ହୋଇ ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ପଦକ୍ଷେପ ନେବାକୁ କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗସ୍ତସମୟରେ ପ୍ରଧାନମନ୍ତ୍ରୀ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ ଅଧିକାରୀ, ରେଳବାଇ ଅଧିକାରୀ ଓ ସୁରକ୍ଷା କର୍ମୀମାନଙ୍କ ସହ କଥା ହୋଇ ସେମାନଙ୍କ ଉତ୍ସାହ ବୃଦ୍ଧି କରିଛନ୍ତି। ଆହତ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଓ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରର ନିଶ୍ଚିତ ଭାବେ ସ୍ୱତନ୍ତ୍ର ଯତ୍ନ ସରକାର ନେବେ ବୋଲି ସେ ଆଶ୍ୱସ୍ତ କରିଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣା ଯୋଗୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଯାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ପରିବହନ ସୁବିଧା ଯୋଗାଇ ଦିଆଯାଇଛି। ଓଡ଼ିଶା ଓ ପଶ୍ଚିମବଙ୍ଗର ଯାତ୍ରୀମାନଙ୍କୁ ମାଗଣାରେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚାଯାଉଛି। ସେମାନଙ୍କୁ ପାଣି ବୋତଲ ଓ ବିସ୍କୁଟ ଦିଆଯାଇଛି।ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ପାଇଁ ୨୦୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ୩୦ଟି ବସରେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ସୋର, ବାଲେଶ୍ୱର, ଭଦ୍ରକ ଓ କଟକ ମେଡିକାଲକୁ ୧୦୦୦ରୁ ଅଧିକ ଆହତଙ୍କୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କୁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ସମସ୍ତ ଆହତ ଓ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଦୁର୍ଘଟଣାସ୍ଥଳରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତଦାରଖ କରୁଛନ୍ତି। ବହୁ ବରିଷ୍ଠ ଅଧିକାରୀମାନେ ଏହି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button