ଅନୁଭୂତି କହିଲେ ଓଡ଼ିଆ ଶ୍ରମିକ : ୧୦ଦିନ ପରେ ଟନେଲରେ ପହଞ୍ଚିଲା ଭାତ, ରୁଟି ଓ ଡାଲି

ଉତ୍ତରାଖଣ୍ଡ : ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଗତକାଲି ରାତିରେ ଉଦ୍ଧାର କରାଯାଇଛି। ଏଥିରେ ଓଡ଼ିଶାର ୫ ଜଣ ଶ୍ରମିକ ଥିଲେ। ୧୭ ଦିନର ସଂଗ୍ରାମ ପରେ ଫସିଥିବା ଶ୍ରମିକମାନଙ୍କୁ ମିଳିଛି ନୂଆ ଜୀବନ।

ଖବର ଅନୁଯାୟୀ ଟନେଲ ଭିତରେ ରହିବାର ଅନୁଭୂତି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳାର ଶ୍ରମିକ ଧୀରେନ ନାୟକ। ସେ ପ୍ରାୟ ୩ ବର୍ଷ ହେଲା ସେଠାରେ କାମ କରୁଥିଲେ। ହେଲେ ଏପରି ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲେ। ତାଙ୍କ କହିବା ଅନୁସାରେ ନଭେମ୍ବର ୧୧ ତାରିଖ ରାତି ୮ଟାରେ କାମକୁ ଯାଇଥିଲୁ। କାମ ସାରି ଫେରିଲା ବେଳକୁ ବାଟ ବନ୍ଦ ହୋଇଯାଇଥିଲା। ୧୮ ଘଣ୍ଟା ପର୍ଯ୍ୟନ୍ତ ଆମେ ଅମ୍ଳଜାନ ପାଇପାରି ନ ଥିଲୁ। ଏହାପରେ ଉପସ୍ଥିତ ବୁଦ୍ଧି ଖଟାଇ ଟନେଲ ଭିତରେ ପମ୍ପ ଚଲାଇ ପାଇପ୍‌ ବାଟେ ପାଣି ଛାଡ଼ିଥିଲୁ। ଫଳରେ ବାହାରେ ଥିବା କମ୍ପାନୀ କର୍ମଚାରୀ ଆମେ ଫସି ଯାଇଥିବା ଜାଣି ପାରିଥିଲେ।

ପ୍ରଥମେ ସେହି ପାଇପ ଦ୍ୱାରା ବାହାର ଦୁନିଆ ସହ ଯୋଗାଯୋଗ ହୋଇଥିଲା। ସେହି ପାଇପରେ ମୁଢ଼ି, କାଜୁ, କିସମିସ୍ ଓ ଚଣା ଆଦି ଆମ ନିକଟରେ ପହଞ୍ଚିଥିଲା। ପ୍ରଥମ ୧୦ଦିନ କେବଳ ତାହାକୁ ଖାଇ ଦିନ କାଟିଥିଲୁ। ପରେ ୬ ଇଞ୍ଚର ପାଇପ ପକାଇ ଆମ ପାଖକୁ ଭାତ, ରୁଟି ଓ ଡାଲି ପଠା ଯାଇଥିଲା। ଏଭଳି କଠିନ ପରିସ୍ଥିତିରେ କିନ୍ତୁ ଟନେଲ ଭିତରେ ପାଣି ଓ ଲାଇନ କଟି ନଥିଲା। ସେ କହିଛନ୍ତି ଟନେଲ ଭିତରେ ଆମେ ବହୁ ପ୍ରତିକୂଳ ପରିସ୍ଥିତିରେ ଥିଲେ ମଧ୍ୟ ଏକାଠି ଥିବାରୁ ମନୋବଳ ଭାଙ୍ଗି ନ ଥିଲା। ଉଦ୍ଧାର ହେବାର ଆଶା ଥିଲା। ପ୍ରାୟ ୧୦/୧୨ ଦିନ ପରେ ପରିବାର ଲୋକଙ୍କ ସହ କଥା ହୋଇ ପାରିଥିଲୁ।

ଗତକାଲି ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହେଲା। ଉଦ୍ଧାରପାଇଁ ସଂଯୋଗ କରାଯାଇଥିବା ପାଇପ୍‌କୁ ଦେଖି ସମସ୍ତେ ଖୁସି ହୋଇ ଯାଇଥିଲୁ। ଟନେଲ ବାହାରେ ଆମ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଉପସ୍ଥିତ ଥିବା ଦେଖି ଖୁସି ଲାଗିଥିଲା। ଉଦ୍ଧାର ପରେ ଆମକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆମେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ। ଗାଁକୁ ଫେରିବାକୁ ପାଖାପାଖି ଆହୁରି ସପ୍ତାହେ ଲାଗିଯିବ ବୋଲି ଧୀରେନ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button