ମନ୍ତ୍ରୀ ଓ ବିଧାୟକଙ୍କ ଦରମା ୪୦ ହଜାର ବଢ଼ିଲା

କୋଲକାତା : ପଶ୍ଚିମବଙ୍ଗ ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ବୃଦ୍ଧି। ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ମାସିକ ୪୦ ହଜାର ଟଙ୍କା ବଢିଛି।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ମମତାଙ୍କ ଘୋଷଣା ଅନୁସାରେ ଏଣିକି ବିଧାୟକମାନେ ମାସକୁ ୫୦ ହଜାର ଟଙ୍କା ଲେଖାଏ ପାଇବେ। ପୂର୍ବରୁ ସେମାନଙ୍କୁ ଦରମା ୧୦ ହଜାର ଟଙ୍କା ମିଳୁଥିଲା। ସେହିପରି ରାଷ୍ଟ୍ରମନ୍ତ୍ରୀମାନଙ୍କ ଦରମା ୧୦,୯୦୦ ଟଙ୍କାରୁ ୫୦,୯୦୦ ଟଙ୍କା ଓ କ୍ୟାବିନେଟ ମନ୍ତ୍ରୀମାନେ ମାସିକ ୧୧ ହଜାର ଟଙ୍କା ବଦଳରେ ୫୧ ହଜାର ଟଙ୍କା ଲେଖାଏ ପାଇବେ। ଦରମା ବ୍ୟତୀତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ଓ ଅନୁଦାନ ପରିମାଣ ସମାନ ରହିଛି। ଫଳରେ ଏଣିକି ବିଧାୟକମାନେ ଦରମା ଓ ଭତ୍ତାକୁ ମିଶାଇ ମାସକୁ ୧.୨୧ ଲକ୍ଷ ଟଙ୍କା ପାଇବେ। ପୂର୍ବରୁ ସେମାନଙ୍କୁ ୮୧ ହଜାର ଟଙ୍କା ମିଳୁଥିଲା। ସେହିପରି ମନ୍ତ୍ରୀମାନେ ମାସକୁ ୧.୧୦ ଲକ୍ଷ ବଦଳରେ ପ୍ରାୟ ୧.୫୦ ଲକ୍ଷ ଟଙ୍କା ପାଇବେ।

ଗୁରୁବାର ରାଜ୍ୟ ବିଧାନସଭାରେ ମମତା ବାନାର୍ଜୀ ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କ ଦରମା ଯଥେଷ୍ଟ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ବେଙ୍ଗଲୀ ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ବଢ଼ା ଯାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button