ଦାଦାବଟି ଉଦ୍ଦେଶ୍ୟରେ ଗଠନ ହୋଇଥିଲା ଟାଉନ ଟାଇଗର ଗ୍ରୁପ

ଭୁବନେଶ୍ୱର : କେବିଏନ ଗ୍ୟାଙ୍ଗର ସଦସ୍ୟ ଦାଦାବଟି ଉଦ୍ଦେଶ୍ୟରେ ଆଉ ଏକ ନୂଆ ଗ୍ୟାଙ୍ଗ ଗଠନ କରିବା ସହିତ ଟାଉନ ଟାଇଗର ନାମରେ ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିଲେ। ରିମାଣ୍ଡ ବେଳେ ପୋଲିସକୁ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି।
ଖବର ଅନୁଯାୟୀ କେବିଏନ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସନିଆ ଓରଫ ସନାତନ ବେହେରା ଥିଲା ଏହି ଗ୍ରୁପର ଆଡମିନ୍। ବିଶେଷକରି ଭାଇଗିରି, ଦାଦାବଟି ଓ ପତିଆରା ଜାହିର କରିବା ପାଇଁ ତିଆରି ହୋଇଥିଲା ଏହି ଗ୍ରୁପ୍ । ଗ୍ରୁପରେ ମୋଟ୍ ୨୯ ଜଣ ସଦସ୍ୟ ଥିଲେ। ପୋଲିସ ହାତରେ ଏହି ତଥ୍ୟ ଲାଗିବା ପରେ ଗ୍ୟାଙ୍ଗ ସଦସ୍ୟମାନେ ଧୀରେ ଧୀରେ ଗ୍ରୁପରୁ ଲେପ୍ଟ ହେବାରେ ଲାଗିଛନ୍ତି। ଏହାର ତାଲିକା ପ୍ରସ୍ତୁତ କରିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି କହିଛି। ଗ୍ୟାଙ୍ଗ୍ ଲିଡର୍ ଦେବୀପ୍ରସାଦ ଜେନା ଓରଫ ବୁବୁ ବାବଦରେ ଏମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜେରାବେଳେ ଦେଇଛନ୍ତି। ପୋଲିସ ଭୟରେ କୋର୍ଟରେ ଆତ୍ମସମର୍ପଣ କରିଥିବା ଚେଙ୍ଗ ଦେଇଛି ବହୁତ ସୂଚନା। ସେମାନେ କେମିତି ଭୟଭୀତ କରି ବଟି ଆଦାୟ କରୁଥିଲେ ସେସବୁ ତଥ୍ୟ ଚେଙ୍ଗ ଓ ସନିଆ ପୋଲିସକୁ କହିଛନ୍ତି। ସେହିପରି ରାତିରେ ରାଜରାସ୍ତାରେ ଅସ୍ତ୍ରଶସ୍ତ୍ର ସହ ଭିଡିଓ କରିବା ପରେ ସେସବୁକୁ କିଭଳି ଅମ୍ଳାନ ମହାନ୍ତି ଏଡିଟ୍ କରୁଥିଲା ଓ ଟାଉନ୍ ଟାଇଗର୍ସ ନାମକ ଅନ୍ୟ ଏକ ଗ୍ୟାଙ୍ଗ୍ର ଆକାଉଣ୍ଟରେ ପୋଷ୍ଟ କରୁଥିଲା ବୋଲି ସେମାନେ କହିଛନ୍ତି।
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଏମାନେ ଖଣ୍ଡା ବୁଲାଇବା ସହିତ ଯେଉଁ ବନ୍ଧୁକ ଧରି ଭିଡିଓ କରୁଥିଲେ ତାହା ଥିଲା ଖେଳଣା ବନ୍ଧୁକ। କେବଳ ଖଣ୍ଡଗିରିର ରାହୁଲ ଜେନା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଚୋରି କରିଥିବା ବେଳେ ବାକି ସମସ୍ତ ବନ୍ଧୁକ ନକଲି ଥିଲା। ରାଜଧାନୀରେ ପତିଆରା ଜାହିର୍ କରିବା ପାଇଁ ଏଭଳି ଭିଡିଓ କରିବା ଥିଲା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ।