ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରସାଦ

ପୁରୀ : ଏଣିକି ଓମଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତ ହେବ। ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ଅବଢ଼ା ଦର ତାଲିକା ଚୂଡ଼ାନ୍ତ ଓ ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ସମ୍ପର୍କରେ ନିଷ୍ପତ୍ତି ହୋଇପାରିନାହିଁ।

ଖବର ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଶୃଙ୍ଖଳା କମିଟି ବୈଠକ ବସିଥିଲା। ଏଥିରେ ନିଷ୍ପତ୍ତି ଅନୁଯାୟୀ ଓମ୍ଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ହେବ। ସେହିପରି ଆନନ୍ଦ ବଜାରର ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା କରିବାକୁ କୋର କମିଟି ନିଷ୍ପତ୍ତି ନେବା ପରେ ମୁଖ୍ୟ ପ୍ରଶାସକଙ୍କୁ ଅନୁମୋଦନ ପାଇଁ ପଠାଯିବ।

ବିଶେଷ କରି ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତ ପ୍ରବେଶ ଉପରେ ରୋକ ଲଗାଯାଇଛି। ଆନନ୍ଦବଜାରରୁ ଅଣ-ସୁଆରଙ୍କୁ ବାହାର କରି ଦିଆଯାଇଥିବା ବେଳେ ସୁଆର-ମହାସୁଆରଙ୍କୁ ସହାୟତା କରିବା ପାଇଁ ଦୁଇଜଣ ସହାୟକ ନିୟୋଜିତ ହେବେ। ଏହାଛଡା ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଓ ଜରି କାଢ଼ି ସେଡ୍ ବ୍ୟବସ୍ଥା କରିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button