ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆସିପାରେ : ଏସଆରସି

ଭୁବନେଶ୍ୱର : ହୀରାକୁଦ ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ବନ୍ୟାଜଳ ନିଷ୍କାସନ ପାଇଁ ଦୁଇଦିନ ଭିତରେ ଖୋଲାଯାଇଛି ହୀରାକୁଦର ୧୮ଟି ଗେଟ୍‌। ତେଣୁ ମହାନଦୀରେ ଏକ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆସିପାରେ। ତେଣୁ ତଳିଆ ଅଂଚଳରେ ସ୍ଥିତି ବେଶି ଖରାପ ହେବାର ଆଶଙ୍କା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସେ କହିଛନ୍ତି ହୀରାକୁଦ ଜଳ ଭଣ୍ଡାରର କ୍ଷମତା ୬୩୦ଫୁଟ୍‌ ଥିବା ବେଳେ ଜଳସ୍ତରକୁ ୬୨୮ ଫୁଟ୍‌ରେ ରଖିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଦରକାର ପଡ଼ିଲେ ଆହୁରି ଅଧିକ ଗେଟ୍‌ ଖୋଲିବାକୁ ପଡ଼ିପାରେ। ଏବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ଅଧିକ ଗେଟ୍‌ ଖୋଲିଲେ ୭ ଲକ୍ଷ କ୍ୟୁସେକ୍‌ ପାଣି ପାସ୍‌ କରିବ। ତେଣୁ ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି।

ସେହିପରି ଲଗାଣ ବର୍ଷା ପରେ ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ମଧ୍ୟ ଜଳସ୍ତର ଖସୁଛି। ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ହେଁ ୩ଟି ଛୋଟ ଘାଇ ହୋଇଛି। ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ନାହିଁ। ବଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ଶ୍ରୀ ଜେନା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button