ଓଏଏସ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା ଅଫିସର ସ୍ତରରେ ଏକ ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୁରୁବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ମନସ୍ୱିନୀ ସାହୁଙ୍କର ଶକ୍ତି ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟଙ୍କର ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବେଳେ ସେ ଅତିରିକ୍ତ ଭାବେ ପାରାଦୀପ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇବେ।

ସେହିପରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଦୀନକୃଷ୍ଣ କରଙ୍କୁ ନିଯୁକ୍ତି ମିଳିଛି। ଶ୍ରୀ କର ପୂର୍ବରୁ ମଧ୍ୟ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିଲେ। କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ନାରାୟଣ ଚନ୍ଦ୍ର ନାୟକଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳ, ନରେନ୍ଦ୍ର ନାୟକଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦା ଅତିରିକ୍ତ ଉପଜିଲ୍ଲାପାଳ, ରାଜକିଶୋର ଜେନାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଉପକମିଶନର ଓ ଆଲୋକ କୁମାର ଦେହୁରୀଙ୍କୁ ଆଠଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଏହାଛଡା ଢେଙ୍କାନାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନଙ୍କୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଆରତୀ ସାହୁଙ୍କର ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଥିବାବେଳେ ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ଭବେଶ୍ କୁମାର ନାୟକ ଅତିରିକ୍ତ ଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଦାୟିତ୍ଵ ତୁଲାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button