ଦୁଇ ବର୍ଷୀୟା ଝିଆରୀର ତଣ୍ଟି ଚିପିଦେଲା ଖୁଡ଼ି
ଭୋପାଳ : ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା ଘଟିଛି। ପାଖରେ ଶୋଇବାକୁ ଜିଦ କରିବାରୁ ଦୁଇ ବର୍ଷର ଝିଆରୀର ଗଳାଚିପି ଖୁଡ଼ି ହତ୍ୟା କରିଛି।
ଖବର ଅନୁଯାୟୀ ମଧ୍ୟପ୍ରଦେଶ ହନୁମାନତାଲ ପୋଲିସ କହିଛି ମୋହମ୍ମଦ ଶକିଲଙ୍କ ଦୁଇ ବର୍ଷୀୟା ଝିଅ ସୋମବାର ଅପରାହ୍ନରେ ଖୁଡି ରୁମ୍କୁ ଯାଇଥିଲା। ତାଙ୍କୁ ନିଦ ଆସିବାରୁ ଝିଆରୀକୁ ରୁମ୍ରୁ ଚାଲି ଯିବାକୁ କହିଥିଲେ। ହେଲେ ପିଲାଟି ତାଙ୍କ ପାଖରେ ଶୋଇବାକୁ ଜିଦ୍ କରିବାରୁ ଉତ୍ତ୍ୟକ୍ତ ଖୁଡ଼ି ଏକ ଚାପୁଡ଼ା ମାରିଥିଲେ। ପରେ ପିଲାଟିର ତଣ୍ଟି ଚିପି ମୃତଦେହକୁ ସୋଫା ତଳେ ଲୁଚାଇ ଦେଇଥିଲେ। ପିଲାଟିକୁ ଖୋଜି ନ ପାଇବାରୁ ବାପା-ମା’ ଥାନାକୁ ଜଣାଇଥିଲେ। ଅଭିଯୋଗ ପାଇ ପୋଲିସ ସିସିଟିଭି ଯାଞ୍ଚ କରିଥିଲା। ଜଣାପଡିଥିଲା ପିଲାଟି ଘରୁ ବାହାରକୁ ଯାଇନାହିଁ। ଏହାପରେ ଘରେ ଖୋଜାଖୋଜି କରିବାରୁ ସୋଫା ସିଟ୍ ତଳୁ ଶିଶୁଟିର ମୃତଦେହ ମିଳିଥିଲା। ଏହାପରେ ଖୁଡ଼ି ପିଲାକୁ ହତ୍ୟା କରିଥିବା ସ୍ୱୀକାର କରିବାରୁ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି।