ନବୀନ ବାବୁ ଧନ୍ୟବାଦ ନେଇ ଜାଣନ୍ତି, ଦେଇ ଜାଣନ୍ତିନି : ଜୟନାରାୟଣ

ଭୁବନେଶ୍ଵର : ଜି-୨୦ ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ମୋଦିଜୀ ଆଗ୍ରାଧିକାର ଦେଇଥିଲେ। କିନ୍ତୁ ନବୀନ ବାବୁ ଧନ୍ୟବାଦ ଦେଲେ ନାହିଁ। ନବୀନ ବାବୁ କେବେଳ ଧନ୍ୟବାଦ ନେଇ ଜାଣନ୍ତି, ଦେଇ ଜାଣନ୍ତିନି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର।
ଖବର ଅନୁଯାୟୀ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି G-20 ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିବା ଆମ ପାଇଁ ଗୌରବର କଥା। ବିଶ୍ୱ ନେତୃତ୍ୱ ସମ୍ବଲପୁରୀ ନୃତ୍ୟ ଦେଖିଲେ। କୋଣାର୍କର ଥିମ ସାମ୍ନାରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କଲେ। ଏଥିସହ ଓଡ଼ିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସି କାମ, ପିପିଲିର ଚାନ୍ଦୁଆକୁ G-20 ସମ୍ମିଳନୀରେ ସାମିଲ କରାଯାଇଥିଲା। ଏହା ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ଆହୁରି ଆଗକୁ ନେଇଛି। କିନ୍ତୁ ଦୁଃଖର ବିଷୟ ନବୀନ ବାବୁ ରାଷ୍ଟ୍ରପତିଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବା ବେଳେ ତାଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା G-20 ସମ୍ମିଳନୀର ରାତ୍ରି ଭୋଜନକୁ ଗଲେନି। କ’ଣ ପାଇଁ ଗଲେନି ସେ ହିଁ କହିପାରିବେ। ମୋତେ ଯାହା ଲାଗୁଛି ତାଙ୍କ ମନରେ ଗୋଟେ ହୀନମନ୍ୟତା ରହିଛି। ଏତେ ଏତେ ବଡ଼ ଲୋକଙ୍କ ଭିତରକୁ ମୁଁ କ’ଣ ଯିବି ବୋଲି ତାଙ୍କ ମନରେ ରହିଛି। ଯାହାର ଦକ୍ଷତା ଓ ଯୋଗ୍ୟତା ନ ଥାଏ ତାର ହୀନମନ୍ୟତା ଥାଏ। ମୋତେ ଯେତେ ଦୂର ଲାଗୁଛି ଏହି ହୀନମନ୍ୟତା ଯୋଗୁ ସେ ସେଠାକୁ ଗଲେ ନାହିଁ।
ସେ କହିଛନ୍ତି ଓଡ଼ିଶାକୁ ଯେଉଁ ଅବସ୍ଥା ରହିଛି ସେଥିପାଇଁ ମୁଖ୍ୟମନ୍ତ୍ରୀ କୌଣସି ସ୍ଥାନକୁ ଯିବାକୁ ଭୟ କରୁଛନ୍ତି। ଯଦି କେହି ଦାରିଦ୍ର୍ୟତା ଓ ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରନ୍ତି ତେବେ ସେ କ’ଣ କହିବେ। ମୁଣ୍ଡ ପିଛା ଆୟରେ ଆମେ ତଳେ ପଡ଼ିଛୁ। ନାରୀ ନିର୍ଯାତନାରେ ଆମେ ଦେଶରେ ପ୍ରଥମ। ଏ ସବୁ କଥାକୁ ନେଇ ତାଙ୍କ ଭିତରେ ହୀନମନ୍ୟତା ସୃଷ୍ଟି ହୋଇଛି। ସେ ନଯିବା ଗୋଟେ ଦୃଷ୍ଟିରୁ ଭଲ। ଓଡ଼ିଶାର ସମ୍ମାନଟା କମ୍ସେ କମ୍ ରହିଗଲା ବୋଲି ଜୟନାରାୟଣ କହିଛନ୍ତି।