ଏକତରଫା ପ୍ରେମ ପାଇଁ ଛେଚା ଖାଇଲେ ବିବାହିତ ଯୁବକ

କଟକ : ଅଙ୍ଗନବାଡି ଦିଦିଙ୍କୁ ପ୍ରେମ ନିବେଦନ କରି ଗ୍ରାମବାସୀଙ୍କଠାରୁ ବାହିତ ଯୁବକ ଜଣଙ୍କ ଉତ୍ତମ ମଧ୍ୟମ ଖାଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଘଟଣାଟି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ଘଟିଛି। ଏହି ରସିକିଆ ଯୁବକଙ୍କ ନାଁ ଜଗନ୍ନାଥ ସ୍ୱାଇଁ। ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ ତାଙ୍କ ଘର।

ଖବର ଅନୁଯାୟୀ ଘୋଳପୁର ଗାଁର ଅଙ୍ଗନବାଡି ଦିଦି ଛଦ୍ମ ନାମ (ଡ଼ଲି)ଙ୍କୁ ଜଗନ୍ନାଥ ପ୍ରଥମେ ଅନ୍ୟ ନମ୍ବରରୁ ଫୋନ୍ କରି ପ୍ରେମ ନିବେଦନ କରିଥିଲେ। ଅଙ୍ଗନବାଡି ଦିଦି ତାଙ୍କୁ ବାରମ୍ବାର ତାଗିଦ କରିବା ସତ୍ତ୍ଵ ସେ ଫୋନ୍ କରି ହାଇରାଣ କରୁଥିଲେ। କେବେଳ ସେତିକି ନୁହେଁ ଅଶ୍ଳୀଳ ମେସେଜ ପଠାଇ ବିବାହ କରିବାକୁ ଧମକ ଦେଉଥିଲେ ଜଗନ୍ନାଥ। ଅଙ୍ଗନବାଡ଼ି ଦିଦି ଜଗନ୍ନାଥଙ୍କ ଫୋନ୍ ନ ଉଠାଇବାରୁ ସେ ଗୁରୁବାର ଦିନ ଘୋଳପୁର ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଅଙ୍ଗନବାଡି ଦିଦିଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ତାଙ୍କୁ ଟଣା ଓଟରା କରିଥିଲେ।

ଅଙ୍ଗନବାଡି କେନ୍ଦ୍ରରେ ପାଟି ଶୁଣି ଗ୍ରାମବାସୀମାନେ ସେଠାକୁ ଆସି ଜଗନ୍ନାଥଙ୍କୁ ନିର୍ଦ୍ଧୁମ ଛେଚିବା ସହିତ ଓ କାନ ଧରି ଓଠ ବସ୍ କରାଇଥିଲେ। ଏପରି ଭୁଲ୍‌ କରିବେନି ବୋଲି ଗ୍ରାମବାସୀଙ୍କୁ କହିବା ପରେ ଜଗନ୍ନାଥଙ୍କୁ ପୋଲିସ ଜିମା ଦିଆଯାଇଥିଲା। ଅଙ୍ଗନବାଡ଼ି ଦିଦି ଏନେଇ ବାଙ୍କୀ ଥାନାରେ ଅଭିଯୋଗ କରିବାରୁ ପୋଲିସ ଜଗନ୍ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button