ଆହୁରି ୫ ଦିନ ତାତି : ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ଆସିପାରେ ମୌସୁମୀ

ଭୁବନେଶ୍ଵର : ରାଜ୍ୟର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରିରେ ପହଞ୍ଚିଥିବା ବେଳେ ଆହୁରି ୫ଦିନ ପର୍ଯ୍ୟନ୍ତ ପାଗରେ କୌଣସି ବିଶେଷ ପରିବର୍ତ୍ତନ ହେବନି। ଏଥିସହ ଓଡ଼ିଶାକୁ ମୌସୁମୀ ୧ ସପ୍ତାହ ବିଳମ୍ବରେ ଆସିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବନୁମାନ କରିଛି।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ଡିଗ୍ରି ପାଖାପାଖି ରହିବ। ଆସନ୍ତାକାଲି ଭୁବନେଶ୍ଵର ଓ ଆଖପାଖ ଅଞ୍ଚଳରେ ପାଗ ମେଘୁଆ ସହ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଚଳିତ ବର୍ଷ ମୌସୁମୀ ଋତୁର ମଧ୍ୟଭାଗରେ ବର୍ଷା ସ୍ଵାଭାବିକଠାରୁ ଅଧିକା ହେବ। ଶେଷ ଆଡକୁ ନିଅଣ୍ଟିଆ ବର୍ଷାର ସମ୍ଭାବନା ରହିଛି। ମୌସୁମୀ ୪ ମାସରେ ତାପମାତ୍ରା ସ୍ଵାଭାବିକଠାରୁ ଅଧିକ ଅର୍ଥାତ ୬୦ରୁ ୭୦ ପ୍ରତିଶତ ରହିବାର ସମ୍ଭାବନା ରହିଛି। ଇସ୍‌ନୋ ଏବେ ନ୍ୟୁଟ୍ରାଲ ଅବସ୍ଥାରେ ରହିଛି। ଗତ ୧୦ ତାରିଖରେ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ଏଲ୍‌-ନିନୋ ପ୍ରାକ୍‌ ଅବସ୍ଥାରେ ରହିଥିଲା। ଜୁଲାଇ ସୁଦ୍ଧା ଏହା ଏଲ୍‌-ନିନୋ ଅବସ୍ଥାରେ ପହଞ୍ଚିବ।। ଚଳିତ ମୌସୁମୀରେ ଭାରତ ତଥା ଓଡ଼ିଶାରେ ବର୍ଷା ସ୍ଵାଭାବିକଠାରୁ କମ୍‌ ରହିବ। ଜୁନ ମାସରେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବାର ଆଶଙ୍କା ରହିଛି। ଜୁଲାଇ ଓ ଅଗଷ୍ଟରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୪୦ ପ୍ରତିଶତ ରହିଛି। ବର୍ଷା ଓ ତାପମାତ୍ରାକୁ ବିଚାର କଲେ ଜଣାପଡ଼ୁଛି ଆସନ୍ତା ମୌସୁମୀରେ ବର୍ଷାଦିନ ସଂଖ୍ୟା କମ୍‌ ରହିପାରେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button