୨୭ରେ ସୃଷ୍ଟିହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ଵର : ବଙ୍ଗୋପସାଗରରେ ଆସନ୍ତା ୨୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। ୨୯ ତାରିଖରେ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ହେଲେ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ।
ଖବର ଅନୁଯାୟୀ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖରେ ଆଣ୍ଡାମାନ ସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳର ୨୯ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବା ସମ୍ଭାବନା ନାହିଁ। ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ଶୀତ ବଢ଼ିବା ସମ୍ଭାବନା ମଧ୍ୟ ନଥିବା କୁହାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ୨୫ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୭ ତାରିଖରେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗରରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ଘନୀଭୂତ ହୋଇ ପ୍ରାୟତଃ ଉତ୍ତର ଦିଗରେ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗତି କରିବ। ଆକଳନରୁ ଯାହା ଜଣାପଡ଼ୁଛି ୨୮ ତାରିଖରେ ଅବପାତ ଓ ୩୦ ତାରିଖରେ ବାତ୍ୟା ସୃଷ୍ଟି କରିପାରେ। ଡିସେମ୍ବର ୨ରେ କିଛି ଉତ୍ତର-ପୂର୍ବକୁ ଗତିକରି ୨ ତାରିଖ ବାଂଲାଦେଶ ଦକ୍ଷିଣ ଉପକୂଳରେ ସ୍ପର୍ଶ କରିପାରେ। ଅବପାତ ହେବାପରେ ଏହାକୁ ନେଇ ଅଧିକ ସ୍ପଷ୍ଟ ଚିତ୍ର ଆସିବ। ତେବେ ସମ୍ଭାବ୍ୟ ସିଷ୍ଟମ ଦ୍ଵାରା ଓଡ଼ିଶାରେ ବର୍ଷା କିମ୍ବା ପବନ ହେବ ନାହିଁ। ଉପକୂଳ ଓଡ଼ିଶାରେ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହି ୨ ତାରିଖରୁ କମିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୧ ତାରିଖରେ ରାତିର ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି କମିବ। ଉତ୍ତର ଆଭ୍ୟନ୍ତରରେ ୨ ଡିଗ୍ରି କମିପାରେ। ଡିସେମ୍ବର ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଶୀତ ବଢ଼ିବ।