ଓଡ଼ିଶାରେ ଦୈନିକ ହାରାହାରି ୧୫ ଜଣ ଆତ୍ମହତ୍ୟା କରୁଛନ୍ତି

ଭୁବନେଶ୍ଵର : ଓଡ଼ିଶାରେ ପ୍ରତିଦିନ ହାରାହାରି ୧୫ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ଏଥିରେ ରହିଛନ୍ତି ୪ ହଜାର ୪ଶହ ୧୨ ପୁରୁଷ ଓ ୧୨ଶହ ୩୯ ମହିଳା। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟରୁ ଏହା ଜଣାପଡିଛି।

ଖବର ଅନୁଯାୟୀ ଏବେ ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଓଡିଶାରେ ଏହି ସଂଖ୍ୟା ଜାତୀୟ ହାରଠାରୁ ରହିଛି ଅଧିକ। ସମଗ୍ର ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଓଡିଶାରେ ୧୨.୩ ପ୍ରତିଶତ ରହିଛି। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି।

ସେହିପରି ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ କହୁଛି ୨୦୨୧ରେ ଭାରତରେ ୧ ଲକ୍ଷ ୬୪ ହଜାର ଲୋକ ଆତ୍ମହତ୍ୟା କରିଥିଲେ। କିନ୍ତୁ ଓଡ଼ିଶାରେ ଆତ୍ମହତ୍ୟା କରିଛନ୍ତି ୫ ହଜାର ୬ଶହ ୫୧ ଜଣ। ଏଥିରେ ୪ ହଜାର ୪ଶହ ୧୨ ପୁରୁଷ ଓ ୧୨ଶହ ୩୯ ମହିଳା ରହିଛନ୍ତି। ଏହି ଅନୁସାରେ ରାଜ୍ୟରେ ପ୍ରତିଦିନ ହାରାହାରି ୧୫ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି।

କେବଳ ସେତିକି ନୁହେଁ ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୩.୪ ପ୍ରତିଶତ ଲୋକ ଓଡ଼ିଶାର। ପୂର୍ବବର୍ଷ ତୁଳନାରେ ୨୦୨୧ରେ ଆତ୍ମହତ୍ୟା ସଂଖ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ପାରିବାରିକ କଳହ ଯୋଗୁଁ ଓଡ଼ିଶାରେ ଆତ୍ମହତ୍ୟା ମାମଲା ବଢୁଥିବା ବେଳେ ଏହି କାରଣ ପାଇଁ ୭୧ ପ୍ରତିଶତ ଲୋକ ଆତ୍ମହତ୍ୟା କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button