କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ

ଭୁବନେଶ୍ଵର : ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ। ବୋହୂ ରୋନାଲି ଏହି ଅଭିଯୋଗ ଆଣି କଟକ ଜିଲ୍ଲା ବାଙ୍କୀ ଥାନାରେ ଏତଲା ଦେଇଛନ୍ତି।

ଖବର ଅନୁଯାୟୀ ୨୦୨୧ ମାର୍ଚ୍ଚ ୩ ତାରିଖରେ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ବିବାହ କଟକ ବାଙ୍କୀ ଅଞ୍ଚଳର ବେଦପୁରର ଅବସରପ୍ରାପ୍ତ ବିଚାରପତି ଗୋଖା ବେହେରାଙ୍କ ଝିଅ ରୋନଲିଙ୍କ ସହିତ ସମ୍ପନ୍ନ ହୋଇଥିଲା। ଏବେ ବୋହୁ ରୋନାଲି ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଏତଲା ଦେଇଛନ୍ତି। ସେ ଦର୍ଶାଇଛନ୍ତି ନିର୍ବନ୍ଧ ସମୟରେ ଶ୍ୱଶୁର ଶଶିଭୂଷଣ ବେହେରା, ଶାଶୁ ସୁପ୍ରଭା ମହାନ୍ତି ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତି ମୋ ବାପାମା’ଙ୍କୁ ବାହାଘର ବେଳେ କାଠର ଘରକରଣା ଜିନିଷ ବଦଳରେ ସୁନା ଜିନିଷ ଓ ଟଙ୍କା ଦେବା ପାଇଁ କହିଥିଲେ। ଏଥିସହ ଦୁଇଟି ନଣଦ ପୁଟୁଳିରେ ସୁନା ଜିନିଷ ଓ ରୁପାର ଥାଳି ଦେବାକୁ କହିଥିଲେ। ସେମାନଙ୍କ ଦାବି ମୁତାବକ ମୋ ବାପା ସବୁ ଜିନିଷ ଦେଇଥିଲେ। ଏହାସତ୍ତ୍ଵେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇ ଘରୁ ବାହାର କରି ଦିଆଯାଇଛି। ସ୍ଵାମୀ ସତ୍ୟପ୍ରକାଶଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି। ପୁଅର କାର୍ଯ୍ୟକଳାପ ସମ୍ପର୍କରେ ଜାଣିଥିଲେ ସୁଦ୍ଧା ଶଶିଭୂଷଣ ବେହେରା ଚୁପ ରହୁଥିବା ବୋହୁ ରୋନାଲି ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ନିଜ ଉପରୁ ଦୋଷ ଖସାଇବାକୁ ଶଶିଭୂଷଣ ବେହେରା କହିଛନ୍ତି ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି। ଯୌତୁକ ନିର୍ଯାତନା ଅଭିଯୋଗର ପ୍ରାସଙ୍ଗିକତା ନାହିଁ। ମନ୍ତ୍ରିମଣ୍ଡଳ ପ୍ରସଙ୍ଗ ଚର୍ଚ୍ଚାରେ ଥିବାରୁ ଏହା ବିରୋଧୀଙ୍କ ଏକ ଷଡ଼ଯନ୍ତ୍ର। ବୋହୂ ଆମ ପାଖରେ ଅଧିକ ସମୟ ରୁହନ୍ତି ନାହିଁ।

Leave a Reply

Your email address will not be published. Required fields are marked *

Back to top button