ଗାଁ ଶ୍ମଶାନରେ ସହିଦ ଦେବାଶିଷଙ୍କ ଶେଷ କୃତ୍ୟ ସମ୍ପନ୍ନ

ଭୁବନେଶ୍ଵର : ଜମ୍ମୁ-କଶ୍ମୀର ପୁଞ୍ଚରେ ଭାରତୀୟ ସେନାର ୫ ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିବା ଦେବାଶିଷ ବିଶ୍ୱାଳ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ। ଆଜି ତାଙ୍କ ଶେଷ କୃତ୍ୟ ପୈତୃକ ଗାଁ ପୁରୀ ଜିଲ୍ଲା ସତ୍ୟାବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି।

ଶନିବାର ସକାଳ ୭ଟା ସମୟରେ ସହିଦ ଲାନ୍ସ ନାୟକ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲା। ସେଠାରେ ସହିଦଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ବହୁ ନେତା, ସେନା ଅଧିକାରୀ, ପୋଲିସ ଅଧିକାରୀ ସହିଦଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସହିଦ ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ବିମାନ ବନ୍ଦରରେ ସ୍ଵାମୀଙ୍କ ଶେଷ ଦର୍ଶନ କରିଥିଲେ। ପରେ ସହିଦ ତାଙ୍କ ପାର୍ଥିବ ଶରୀର ଜନ୍ମମାଟି ସତ୍ୟବାଦୀ ବ୍ଳକ୍‌ ଖଣ୍ଡାୟତ ସାହି ଅଭିମୁଖେ ନିଆଯାଇଥିଲା।

ସହିଦ୍‌ ଦେବଶିଷଙ୍କ ପାର୍ଥିବ ଶରୀର ବିରାଟ ପଟୁଆରରେ ପହଞ୍ଚିଥିଲା ଖଣ୍ଡାୟତ ସାହି ଗାଁରେ। ସହିଦ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ଗଗନ ଓ ପବନ। ଯେଉଁ ଘରେ ସେ ଜନ୍ମ ହୋଇଥିଲେ ସେହିଠାରେ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ପରିବାର, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନମାନେ ଲୁହରେ ତାଙ୍କୁ ବିଦାୟ ଦେବାପରେ ସହିଦ୍‌ଙ୍କ ପ୍ରାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଇଥିଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ। ସେନାବାହିନୀ ପକ୍ଷରୁ ସହିଦଙ୍କୁ ତୋପ ସଲାମୀ ଦିଆଯାଇଥିଲା। ସୂଚନାଯୋଗ୍ୟ ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ଦେବଶିଷ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ। ତାଙ୍କର ଏବେ ୭ ମାସର କନ୍ୟା ରହିଛି।

Leave a Reply

Your email address will not be published. Required fields are marked *

Back to top button