ଚର୍ଚ୍ଚା : ୨୨ରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ଵର : ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଆସନ୍ତା ୨୨ ତାରିଖରେ। ଲୋକସଭା ଭବନର କନଭେନସନ୍ ହଲରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ। ଏବେ ୩ଟି ମନ୍ତ୍ରୀପଦ ଖାଲି ପଡ଼ିଛି। କୁହାଯାଉଛି ୪ଜଣଙ୍କୁ ମନ୍ତ୍ରୀପଦ ମିଳିବ। ଯଦି ଏହାହୁଏ ତେବେ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିବ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ କେତେ ଜଣଙ୍କୁ ସାମିଲ କରିବେ ତାହା ସ୍ପଷ୍ଟ ହୋଇନି। ଚର୍ଚ୍ଚା ହେଉଛି ଜଣେ ନୁହେଁ ଆଉ କେତେଜଣ ମଧ୍ୟ ଇସ୍ତଫା ଦେଇ ପାରନ୍ତି।

ଖବର ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆସନ୍ତା କାଲି ଭୁବନେଶ୍ୱରରେ ପହଞ୍ଚିବେ। ସେଥିପାଇଁ ୨୨ ତାରିଖ ପୂର୍ବାହ୍ନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଏଥିପାଇଁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ରାଜଭବନକୁ ଏନେଇ ଆଜି ଅବଗତ କରାଯିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରାଜନୈତିକ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ରାଜନୀତିକ ସମୀକରଣକୁ ଦୃଷ୍ଟିରେ ବିକ୍ରମ କେଶରୀ ଆରୁଖ ଓ ବିକ୍ରମ ପଣ୍ଡାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି। ସେହିପରି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ରାଉରକେଲା ବିଧାୟକ ସାରଦା ନାୟକଙ୍କ ଚର୍ଚ୍ଚାରେ ଥିବା ବେଳେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। କେତେକଙ୍କ ମତ ଝାରସୁଗୁଡ଼ା ନବନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କୁ ମନ୍ତ୍ରୀ ପଦ ମିଳିବ। ସେମାନେ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହାକୁ ବିଚାର କଲେ କଥାଟିକୁ ଏଡାଇ ଦିଆଯାଇ ନପାରେ। ଆହୁରି ଶୁଣିବାକୁ ମିଳୁଛି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜକୁ ମଧ୍ୟ ଅଣଦେଖା କରିପାରିବେନି। କାରଣ ବିଜେପିକୁ ଚେକ ଦେବାପାଇଁ ସେହି ଜିଲ୍ଲାକୁ ମନ୍ତ୍ରୀପଦ ଦେବାର ଆବଶ୍ୟକ ରହିଛି।

ସେହିପରି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ପଡିଛି। ଏହି ପଦ ପାଇଁ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁ ଆଗରେ ଥିବା ବେଳେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ଅମରପ୍ରସାଦ ଶତପଥୀ ଓ ଦେବୀପ୍ରସାଦ ମିଶ୍ରଙ୍କ ନାଁ ଶୁଣିବାକୁ ମିଳୁଛି। ସମ୍ଭବତଃ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବାଚସ୍ପତି ପଦ ପାଇଁ ଚୟନ କରାଯାଇପାରେ। ତେବେ ମନ୍ତ୍ରିମଣ୍ଡଳରେ କାହାକୁ ସାମିଲ କରାଯିବ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କର। ତେଣୁ ନବୀନଙ୍କ ପାଇଁ କିଏ ଯୋଗ୍ୟ ତାହା ଶପଥ ଗ୍ରହଣ ଉତ୍ସବ ସମୟରେ ଜଣାପଡିବ।

Leave a Reply

Your email address will not be published. Required fields are marked *

Back to top button