ଦଳରୁ ବାହାରି ସୌମ୍ୟ ବାବୁ ସମାଲୋଚନା କରନ୍ତୁ : ପ୍ରତାପ ଦେବ, ମୁଁ କାହିଁକି ଦଳ ଛାଡ଼ିବି ନିଲମ୍ବନ କରନ୍ତୁ : ସୌମ୍ୟ

ଭୁବନେଶ୍ଵର : ଦୈନିକ ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ସମ୍ପାଦକୀୟ’ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ସେଥିପାଇଁ ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ମନ୍ତ୍ରୀ ପ୍ରତାପ ଦେବ ସୌମ୍ୟଙ୍କୁ କରିଛନ୍ତି ଟାର୍ଗେଟ। ଏହାର ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ। ଆଉ କହିଛନ୍ତି ମୁଁ କାହିଁକି ଦଳ ଛାଡ଼ିବି ସେ ନିଲମ୍ବନ କରନ୍ତୁ।

ଖବର ଅନୁଯାୟୀ ଶନିବାର ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ସୌମ୍ୟ ବାବୁ ଜଣେ ଶିକ୍ଷିତ ଓ ଜ୍ଞାନୀ ଗୁଣି ଲୋକ। ତାଙ୍କୁ ଉପଦେଶ ଦେବା ମୋର କିଛି ଦରକାର ନାହିଁ। ସୌମ୍ୟ ବାବୁ ବିଜୁ ଜନତା ଦଳର ବିଧାୟକ ଅଛନ୍ତି। ବିଜେଡି ବିଧାୟକ ହୋଇ ନିରନ୍ତର ଭାବେ ସରକାର ଓ ଦଳକୁ ସମାଲୋଚନା କରୁଛନ୍ତି। ଯଦି ସମାଲୋଚନା କରିବାର ଅଛି ଦଳରୁ ବାହାରି କରନ୍ତୁ।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଉଛି। ନିର୍ଦ୍ଦିଷ୍ଟ କେଉଁ ବ୍ୟକ୍ତି ବିଶେଷ ଯାଉ ନାହିଁ। ମୁଖ୍ୟମନ୍ତ୍ରୀ ଏହି କଥାକୁ ସ୍ପଷ୍ଟ କରିଛନ୍ତି। ଏତେସବୁ ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଓ ସରକାରଙ୍କୁ ସମାଲୋଚନା କରିବା ସମୀଚିନ ନୁହେଁ ଓ ଏହା ସମ୍ପୂର୍ଣ୍ଣ ଭୁଲ୍। ଦଳୀୟ ପ୍ଲାଟ ଫର୍ମରେ ରହି ଏକ ପାଖିଆ ଭାବରେ ସୌମ୍ୟ ବାବୁ ସବୁକଥାରେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ ଆମେ ବ୍ଲାକମେଲିଂ ବୋଲି କହିବା। ଯଦି ସୌମ୍ୟ ବାବୁ କିଛି କହିବାକୁ ଚାହୁଁଛନ୍ତି ତାହାହେଲେ ସେହିକଥା ଫୋରମ ଭିତରେ ଉଠାଇବା କଥା।। କିନ୍ତୁ ସେ ଏପରି କରୁ ନାହାନ୍ତି। ତାହାହେଲେ ସେ ଦଳରେ ନ ରହିବା ଅନୁଚିତ। ଘରେ ଭିତରେ ଥାଇକି ଆଲୋଚନା ଓ ସମାଲୋଚନା କରିବା ଠିକ୍ ନୁହେଁ।

ଏହାର ଜବାବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ପ୍ରତାପ ଦେବଙ୍କୁ ଧନ୍ୟବାଦ ଦେବୀ ମୋ ଆଲେଖ୍ୟକୁ ନେଇ ସେ ଗଭୀର ଭାବେ ଚିନ୍ତା କରୁଛନ୍ତି। ସେ ମୋତେ ନିର୍ଦ୍ଦେଶ ଦେଇ ପାରିବେନି। ମୁଁ ସମ୍ପାଦକୀୟ ଲେଖିବି ଦଳରେ ରହିବି। ପ୍ରତାପ ଦେବ କ’ଣ ଯାହା କହିବେ ତାହା ବେଦର ଗାର। ସେ ରାଜାଘର ଲୋକ ସମସ୍ତଙ୍କୁ ପ୍ରଜା ବୋଲି ଭାବନ୍ତି। ମୁଁ ସେଭଳି ପ୍ରଜା କି ନାଗରିକ ନୁହେଁ। ମୁଁ ପ୍ରତାପଙ୍କ ଅସହାୟ ବୋଧ ଦେଖି ମୁଁ ଅତ୍ୟନ୍ତ ଦୁଃଖିତ। ଦୁଇଦିନ ଧରି ବ୍ଲାକ ମେଲ ଶବ୍ଦକୁ ବାରମ୍ବାର ବ୍ୟବହାର କରାଯାଉଛି। ମୁଁ ବୁଝେ ବ୍ଲାକମେଲ ଶବ୍ଦର ଅର୍ଥ ହେଉଛି ଯାହାର କିଛି ଲୁଚେଇବାକୁ ଥିବ ବା ଦୁର୍ବଳତା ଥିବ ସେ ହିଁ ବ୍ଲାକ ମେଲ ହୁଏ। ମୁଁ ଦଳର କିମ୍ବା ସେ ବ୍ୟକ୍ତି ମାନଙ୍କର କୌଣସି ଦୁର୍ବଳତା ଜାଣି ନାହିଁ ସେଥିପାଇଁ ତାଙ୍କୁ ବ୍ଲାକ ମେଲ କରିବି।

ପ୍ରତାପ ଦେବ କହିଛନ୍ତି ମୁଁ ସମ୍ପାଦକୀୟ ଭାବେ ଦଳ ବିଷୟରେ ଲେଖି ଦଳର ଅନୁଶାସନ ଭାଙ୍ଗୁଛି। ମୁଁ ଦୁଇ ତିନୋଟି ବୃତ୍ତିରେ ରହିଛି। ସେଥିପାଇଁ ଏ ପ୍ରକାର ଦ୍ଵନ୍ଦ ହେବା ସ୍ଵଭାବିକ। କିନ୍ତୁ ମୁଁ ସମ୍ପାଦକୀୟରେ ଯେଉଁଟା ଲେଖୁଛି ସେଇଟା କେଉଁଠି ଦଳର ଅନୁଶାସନ ବିରୋଧରେ ଯାଉଛି ତାହା ମୁଁ ବୁଝି ପାରୁନି। ମୁଁ ଯାହା ଲେଖିଛି ତାହା ଦଳର ବୃହତ୍ତର ସ୍ୱାର୍ଥ ପାଇଁ ଲେଖିଛି। ଏହାଦ୍ୱାରା ଦଳର କଲ୍ୟାଣ ହେବ ପଛେ ଅମଙ୍ଗଳ ହେବ ନାହିଁ। ଦଳ କାହାକୁ ଡ଼ରୁଛି। ଦଳ କାହିଁକି ଡ଼ରୁଛି। ଦଳ ଏତେ ବଳଶାଳୀ। ବିଜେପିକୁ ଆମେ ପ୍ରତିଦ୍ଵନ୍ଦୀ ବୋଲି ଭାବୁନୁ। ଲୋକଙ୍କ ଏତେ ଆର୍ଶୀବାଦ ପାଇବା ପରେ କାହିଁକି ଆମେ ଏମିତି କରିବାକୁ ଯିବା ଯେ ଛୋଟ ଛୋଟ କଥାକୁ ନେଇ ଆମ ବିରୁଦ୍ଧରେ ଅଭିଯୋଗ ଆସିବ। ମୁଁ କାହିଁକି ଦଳ ଛାଡ଼ିବି ତାଙ୍କର ଯଦି ନିଲମ୍ବନ କରିବାର ଅଛି କରନ୍ତୁ ବୋଲି କହିଛନ୍ତି ସୌମ୍ୟରଞ୍ଜନ।

Leave a Reply

Your email address will not be published. Required fields are marked *

Back to top button