ପାକିସ୍ତାନ କୋର୍ଟରୁ ରାଜଦ୍ରୋହ ଆଇନ ଉଚ୍ଛେଦ

ଇସ୍ଲାମାବାଦ : ଦୀର୍ଘଦିନ ଧରି ପ୍ରଚଳିତ ରାଜଦ୍ରୋହ ଆଇନକୁ ପାକିସ୍ତାନର ଲାହୋର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଜଷ୍ଟିସ୍ ଶାହିଦ କରୀମ ପାକିସ୍ତାନ ପେନାଲ କୋଡ (ପିପିସି)ର ଧାରା ୧୨୪-ଏ ରାଜଦ୍ରୋହ ଅପରାଧ ଆଇନ ବିରୋଧରେ ରାୟ ଦେଇଛନ୍ତି।

ଖବର ଅନୁଯାୟୀ ହାରୁନ ଫାରୁକ ନାମକ ଜନୈକ ବ୍ୟକ୍ତି ଏହି ଧାରାକୁ ରଦ୍ଦ କରିବା ପାଇଁ ନିବେଦନ କରିଥିଲେ। ସେ ଦାଖଲ କରିଥିବା ପିଟିସନରେ ବିବାଦୀୟ ଆଇନକୁ ରଦ୍ଦ କରିବାକୁ ଦାବି କରିଥିଲେ ଅନୁରୋଧ। ଆଉ ଦର୍ଶାଇଥିଲେ ଏହି ଆଇନକୁ ଥୋମାସ ମ୍ୟାକଲେ ପ୍ରସ୍ତୁତ କରିଥିଲେ। ୧୮୬୦ରେ ଇଣ୍ଡିଆନ ପେନାଲ କୋଡ (ଆଇପିସି) ଲାଗୁ ହେବା ପରେ ଏହାକୁ ହଟାଇ ଦିଆଯାଇଥିଲା। ତେବେ ୧୮୭୦ ମସିହାରେ ପୁଣି ଥରେ ଆଇପିସିରେ ସଂଶୋଧନ କରି ଏହି ଧାରାକୁ ସଂଯୁକ୍ତ କରାଯାଇଥିଲା। ସେତେବେଳେ ବିଦେଶୀ ସରକାରଙ୍କ ବିରୋଧରେ ଜନତାଙ୍କ ଅସନ୍ତୋଷକୁ ଦବାଇ ଦେବାକୁ ଏହି କଠୋର ଆଇନ ପ୍ରଣୟନ କରାଯାଇଥିଲା।

ଶୁଣାଣି ସମୟରେ ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ଲାହୋର ହାଇକୋର୍ଟ ଏହି ଆଇନକୁ ସମ୍ବିଧାନରେ ନାଗରିକଙ୍କୁ ଦିଆଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ କହି ରଦ୍ଦ କରିଦେଇଛନ୍ତି। ପିଟିସନରେ କୁହାଯାଇଥିଲା ଏହି ଆଇନକୁ ଅସହମତି, ଅଭିବ୍ୟକ୍ତିର ସ୍ୱାଧୀନତା ଓ ସମାଲୋଚନାକୁ ଦବାଇ ଦେବା ପାଇଁ ଅସ୍ତ୍ର ରୂପେ ବ୍ୟବହାର କରାଯାଏ। ଗତ କିଛିବର୍ଷ ହେଲା କେତେକ ରାଜନେତା, ସାମ୍ବାଦିକ ଓ ଆକ୍ଟିଭିଷ୍ଟଙ୍କ ବିରୋଧରେ ଧାରା ୧୨୪-ଏ ଅନୁସାରେ ମାମଲା ରୁଜୁ କରାଯାଇଛି। ଯାହା ଆଇନର ଦୂରୁପଯୋଗ ହେଉଥିବା ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ ପାକିସ୍ତାନରେ ରଦ୍ଦ ହୋଇଥିବା ଆଇନର ଏହି ଧାରା ବ୍ରିଟେନ ଆଇନ ବ୍ୟବସ୍ଥାରୁ ସୃଷ୍ଟି ହୋଇଥିଲେ ହେଁ ୨୦୦୯ ମସିହାରୁ ଉଚ୍ଛେଦ ହୋଇ ସାରିଛି। କିନ୍ତୁ ଭାରତରେ ଏହି ଆଇନ ରହିଛି। ଯାହାକୁ ବିରୋଧ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସୁପ୍ରିମକୋର୍ଟଙ୍କ ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଏମ.ଭି. ରମନ୍ନା ସ୍ୱାଧୀନତାର ୭୫ ବର୍ଷ ପରେ ଏହି ଆଇନର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେତେବେଳେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଲ ଏହି ଆଇନକୁ ରଦ୍ଦ କରିବା ପରିବର୍ତ୍ତେ ଗାଇଡଲାଇନ ପ୍ରସ୍ତୁତ କରାଯିବା ଦରକାର ଯାହା ଆଇନର ମୂଖ୍ୟ ଉଦ୍ଦେଶ୍ୟ ପୂରଣ ହୋଇ ପାରିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button