ପାକିସ୍ତାନ : ମାଗଣା ଅଟା ପାଇଁ ଦଳାଚକଟାରେ ୧୨ ମୃତ

କରାଚି : ପାକିସ୍ତାନ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି। ଖାଦ୍ୟ ପାଇଁ ଦେଖାଦେଇଛି ହିଂସା। ଶୁକ୍ରବାର ରାତିରେ କରାଚି ସହରରେ ଏପରି ଘଟଣା ଘଟିଛି। ରମଜାନ ଉପଲକ୍ଷେ ବଣ୍ଟନ ହେଉଥିବା ମାଗଣା ଅଟା ନେବାକୁ ଜମା ହୋଇଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ଓ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଯାହା ଫଳରେ ୧୨ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ବେଳେ ଏହି ଘଟଣାରେ ଆହୁରି ଅନେକ ଆହତ ହୋଇଛନ୍ତି।

ଖବର ଅନୁଯାୟୀ କରାଚିର ସିନ୍ଧ ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଟ୍ରେଡିଂ ଇଷ୍ଟେଟ (ଏସଆଇଟିଇ) ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନିର କର୍ମଚାରୀଙ୍କ ପରିବାର ମଧ୍ୟରେ ମାଗଣା ବଣ୍ଟନ ସମୟରେ ଏହି ଦଳାଚକଟା ଓ ସଂଘର୍ଷ ହୋଇଥିଲା ।

କେମାରୀ ପୋଲିସ ଏକ ବିବୃତ୍ତିରେ ମୃତକଙ୍କ ସଂଖ୍ୟାକୁ ସ୍ଵୀକାର କରିବା ସହ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ଓ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କହିଛି। ୭ ଜଣ ମହିଳା ଓ ୨ ଜଣ ବାଳକଙ୍କ ସମେତ ୯ ଜଣଙ୍କ ମୃତଦେହକୁ ଅବ୍ବାସି ସହିଦ ହସ୍ପିଟାଲକୁ ଅଣାଯାଇଥିବା ପୋଲିସ ସର୍ଜନ ଡାକ୍ତର ସୁମୟ ସୟଦ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button