ୟୁକ୍ରେନ୍‌ ଉପରେ ରୁଷ୍‌ ଆକ୍ରମଣ : ଖେର୍‌ସନ୍‌ରେ ୨୧ ମୃତ

ନୂଆଦିଲ୍ଲୀ : ଡ୍ରୋନ୍‌ ଆକ୍ରମଣରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ। ୟୁକ୍ରେନ୍‌କୁ ଏଥିପାଇଁ ଦାୟିକରି ଏହାର ପରିଣତି ଭୋଗିବାକୁ ପଡିବ ବୋଲି ରୁଷ ଚେତାବନୀ ଦେଇଥିଲା। କିନ୍ତୁ ଦେଖିବାକୁ ମିଳିଛି ସମଗ୍ର ୟୁକ୍ରେନ୍‌ରେ ରୁଷ୍ ଆକ୍ରମଣ ତୀବ୍ରତର କରିଛି। ଖେର୍‌ସନ୍‌ରେ ଆକ୍ରମଣ ଯୋଗୁ ଗୋଟିଏ ସୁପର୍‌ମାର୍କେଟ୍‌, ରେଳ ଷ୍ଟେସନ୍‌ ଓ ସାଧାରଣ ନାଗରିକଥିବା ଅଞ୍ଚଳ ପ୍ରଭାବିତ ହୋଇଛି। ୨୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୮ଜଣ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ‘କିବ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି।

ସେହିପରି ଗୁରୁବାର ଦିନ ‘କିବ୍‌ ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟରେ କୁହାଯାଇଛି ୟୁକ୍ରେନ୍‌ର ରାଜଧାନୀ ନଗରୀ କିବ୍‌ରେ ୨ଟି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଛି। ସେଥିପାଇଁ ‘କିବ୍‌ ଓବ୍ଲାଷ୍ଟ୍‌’ରେ ୟୁକ୍ରେନୀୟ ‘ଏୟାର୍‌ ଡିଫେନ୍‌ସ୍‌’କୁ କାର୍ଯ୍ୟକ୍ଷମ କରାଯାଇଥିବା ‘ଦି ଓବ୍ଲାଷ୍ଟ୍‌ ମିଲ୍‌ଟାରି ଆଡ୍‌ମିନିଷ୍ଟ୍ରେସନ୍‌’ ସୂଚନା ଦେଇଛି। ଏହାଛଡା ଡ୍ରୋନ୍‌ ଆକ୍ରମଣର ସମ୍ଭାବନା ଥିବାରୁ ଜନସାଧାରଣ ଆଶ୍ରୟସ୍ଥଳକୁ ଯାଇ ରହିବାକୁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ କିବ୍‌, ଚେର୍‌ନିହିବ୍‌, ସୁମି, ପୋଲ୍‌ତାବା, କିରୋବୋଦ୍ରାଦ୍‌, ଖାର୍‌କିବ୍‌, ମିକୋଲାଇବ୍‌, ଓଡେସା, ଦିପ୍ରୋପେଟ୍ରାଭ୍‌ସ୍କ, ଜାପୋରିଝ୍‌ଝିଆ ଓ କିବ୍‌ ନଗରୀରେ ବିମାନ ଆକ୍ରମଣ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button